Categories: ଖେଳ

ନେଟ୍‌ ବୋଲରଙ୍କୁ ଟିମ୍‌ ଇଣ୍ଡିଆରେ ମିଳିପାରେ ସୁଯୋଗ

କଲମ୍ବୋ,୨୮।୭: ଭାରତୀୟ ଦଳର ଖେଳାଳି କୋଭିଡ୍‌-୧୯ ଭାଇରସରେ ସଂକ୍ରମିତ ହେବା ପରେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌ ବାତିଲ ହେବ ନାହିଁ। ସିରିଜ୍‌ର ବଳକା ଦୁଇଟି ମ୍ୟାଚ୍‌ ପାଇଁ ନେଟ୍‌ ବୋଲରଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ପରିବର୍ତ୍ତୀତ କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର ଖେଳାଯିବ।

ନେଟ୍‌ ବୋଲର ଭାବେ ଶ୍ରୀଲଙ୍କା ଗସ୍ତ କରିଥିବା ଇଶାନ ପୋରେଲ, ସନ୍ଦୀପ ଓ୍ବାରିଅର, ଅର୍ଶଦୀପ ସିଂ, ସାଇ କିଶୋର ଓ ସମରଜୀତ ସିଂଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିବାରୁ ଟିମ୍‌ ଇଣ୍ଡିଆର ୮ ନିୟମିତ ଖେଳାଳି ଉଭୟ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ସେମାନଙ୍କ ଆରଟି-ପିସିଆର ରିପୋର୍ଟ ନେଗେଟିଭ ଆସିଛି। ଏହା ସତ୍ତ୍ୱେ ସେମାନଙ୍କୁ ଦଳଠୁ ଅଲଗା ରଖାଯାଇଛି। ଭେଟେରାନ ଓପନର ଶିଖର ଧାଓ୍ବନ ଦଳର ନେତୃତ୍ୱ ନେବା ପାଇଁ ଉପଲବ୍ଧ ରହିବେ।

କ୍ରୁନାଲଙ୍କ ସମେତ ୯ ଖେଳାଳି ଦଳଠାରୁ ଦୂରେଇ ଯିବାରୁ ଟିମ୍‌ ଇଣ୍ଡିଆ ପାଖରେ ଖେଳାଳିଙ୍କ ଅଭାବ ଦେଖାଦେଇଥିଲା। ଏଥି ଯୋଗୁ ନେଟ୍‌ ବୋଲରଙ୍କୁ ଦଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ।

Share