ଷ୍ଟାଲିନଙ୍କୁ ମନାଇବାରେ ବିଫଳ INDIA ମେଣ୍ଟ! କହିଲେ ଡିଲିମିଟେସନ ବିଲ୍‌କୁ ସମର୍ଥନ ନିଷ୍ପତ୍ତିରେ…

ଚେନ୍ନାଇ,୨୯।୧୧ : ସଂସଦରେ ସୀମା ନିର୍ଦ୍ଧାରଣ ବିଲକୁ ଡିଏମ୍‌କେ ସମର୍ଥନ କରିବ ବୋଲି ଘୋଷଣା କରିବାର ଦିନକ ପରେ ଚେନ୍ନାଇରେ ଦଳର ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କୁ ଭେଟିଛନ୍ତି INDIA ମେଣ୍ଟର ବରିଷ୍ଠ ନେତାମାନେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ନେତାମାନେ ରବିବାର ଷ୍ଟାଲିନଙ୍କ ବାସଭବନରେ ପହଞ୍ଚି ଆଲୋଚନା କରିଥିଲେ । ଏହି ବୈଠକ ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିଲା। ଏହି ଅବସରରେ ରାହୁଲ ଓ ଷ୍ଟାଲିନ ପରସ୍ପରକୁ ଆଲିଙ୍ଗନ କରୁଥିବା ଫଟୋ ସାମ୍ନାକୁ ଆସିଛି । ଷ୍ଟାଲିନ ମଧ୍ୟ ସୋସିଆଲ ମିଡିଆରେ ରାହୁଲଙ୍କୁ ‘ଭାଇ’ ବୋଲି ସମ୍ବୋଧନ କରିଛନ୍ତି।

ତେବେ ଏହି ବୈଠକ ପରେ ମଧ୍ୟ ସୀମା ନିର୍ଦ୍ଧାରଣ ବିଲକୁ ନେଇ ଡିଏମ୍‌କେର ଆଭିମୁଖ୍ୟ ବଦଳିନାହିଁ । ଦଳର ଆଇଟି ୱିଙ୍ଗ୍‌ ପକ୍ଷରୁ ଜାରି ଏକ ପୋଷ୍ଟରେ କୁହାଯାଇଛି ଯେ ଡିଏମ୍‌କେ କେବେ ବି ତାମିଲନାଡୁ ବିରୋଧରେ ନିଷ୍ପତ୍ତି ନିଏ ନାହିଁ । ଏହା ସହ ଦଳ ‘ଫେୟାର ଡିଲିମିଟେସନ୍‌’ ବା ନ୍ୟାୟସଙ୍ଗତ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ନିଜ ଆଭିମୁଖ୍ୟରେ ଅଟଳ ଥିବା କହିଛି । ଷ୍ଟାଲିନ ମଧ୍ୟ ଖବରଦାତାଙ୍କୁ କହିଛନ୍ତି ଯେ ତାମିଲନାଡୁର ସ୍ୱାର୍ଥ ରକ୍ଷା ପାଇଁ ସେ ଲଢ଼େଇ ଜାରି ରଖିବେ । ବିଲ୍‌ରେ ସେମାନଙ୍କର ସମସ୍ତ ଦାବି ରହିଥିବା ସେ କହିଛନ୍ତି।

ବୈଠକ ପରେ ରାହୁଲ ଗାନ୍ଧୀ କହିଥିଲେ ଯେ ବିରୋଧୀ ମେଣ୍ଟ ନିଜର ଆଭିମୁଖ୍ୟ ଷ୍ଟାଲିନଙ୍କୁ ଜଣାଇଛି । ସେମାନେ ସୀମା ନିର୍ଦ୍ଧାରଣ ବିଲର ବିରୋଧୀ। ତାଙ୍କ ଅଭିଯୋଗ ଅନୁସାରେ, ଭାଜପା ପୂର୍ବରୁ ଆସାମ ଓ ଜମ୍ମୁ-କାଶ୍ମୀରରେ ସୀମା ନିର୍ଦ୍ଧାରଣ ବିଲ ଲାଗୁ କରିଛି ଏବଂ ଏବେ ଏହାକୁ ସମଗ୍ର ଦେଶରେ ଲାଗୁ କରିବାକୁ ଚାହୁଁଛି । ଏହା ଦେଶର ଗଣତନ୍ତ୍ର ଓ ତାମିଲ ସଂସ୍କୃତି ପାଇଁ କ୍ଷତିକାରକ ହେବ ବୋଲି ସେ ଦାବି କରିଥିଲେ।

ରାହୁଲ ଆହୁରି କହିଥିଲେ ଯେ ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି କରିବା ଦ୍ୱାରା ନିର୍ବାଚନୀ ମାନଚିତ୍ରକୁ ନିଜ ସୁବିଧା ଅନୁସାରେ ବଦଳାଇବା ପାଇଁ ଭାଜପା ଓ ଆର୍‌ଏସ୍‌ଏସ୍‌କୁ ଅଧିକ ସୁଯୋଗ ମିଳିବ। ତେଣୁ ଏହି ବିଲ୍‌କୁ ପାରିତ ହେବାକୁ ନଦେବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ସେ ଅପିଲ୍‌ କରିଥିଲେ।

 

Dharitri – Odisha’s No.1 Odia Daily

Share