Categories: ଖେଳ

ଭାରତ-ଅଷ୍ଟ୍ରେଲିଆ ହକି ସିରିଜ ଆଜିଠାରୁ

ଆଡିଲେଡ, ୨୬।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ୨୦୨୩ ହକି ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ବିଶ୍ୱର ନମ୍ବରଓ୍ବାନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଭାରତ ପାଇଁ ଭଲ ପ୍ରସ୍ତୁତି ସଦୃଶ ହେବ। ଭାରତ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫ମ ସ୍ଥାନରେ ରହିଛି। ଶେଷଥରପାଇଁ ଭାରତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଷ୍ଟ୍ରେଲିଆକୁ ଭେଟିଥିଲା। ସେହି ମ୍ୟାଚରେ ଅଷ୍ଟ୍ରେଲିଆ ୭-୦ ଗୋଲରେ ବିଜୟୀ ହୋଇଥିଲା। ନିକଟ ଅତୀତରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ବିପକ୍ଷ ପ୍ରୋ ଲିଗ୍‌ ମ୍ୟାଚରେ ଭାରତକୁ ମିଶ୍ରିତ ଫଳ ମିଳିଥିଲା। ନ୍ୟୁଜିଲାଣ୍ଡକୁ ଭାରତ ୨ଟି ଯାକ ମ୍ୟାଚରେ ହରାଇଥିବାବେଳେ ସ୍ପେନ୍‌ ବିପକ୍ଷରେ ଗୋଟିଏ ଲେଖାଏ ବିଜୟ ପରାଜୟ ସ୍ବାଦ ଚାଖିଥିଲା। ତେଣୁ ଆଗାମୀ ସିରିଜରେ ଭାରତ କଡ଼ା ଟକ୍କର ଦେବା ଆଶା କରାଯାଉଛି। ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ପ୍ରସ୍ତୁତ ହେବାଠାରୁ ଆଉ ବଡ଼ କିଛି ନାହିଁ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌। ଅଧିନାୟକ ହରମନପ୍ରୀତ ସିଂ ମଧ୍ୟ କୋଚ୍‌ଙ୍କ ସହ ଏକମତ ହୋଇଛନ୍ତି।

Share