ଭାରତରେ ବିଶ୍ୱର ଏକ-ତୃତୀୟାଂଶ ସର୍ଭାଇକାଲ କ୍ୟାନ୍‌ସର

ନୂଆଦିଲ୍ଲୀ,୨୫ା୨: ଗର୍ଭାଶୟ ଗ୍ରୀବା କର୍କଟ (ସର୍ଭାଇକାଲ କ୍ୟାନ୍‌ସର) ହେଉଛି ମହିଳାମାନଙ୍କଠାରେ ଦେଖାଦେଉଥିବା ୪ର୍ଥ ସର୍ବାଧିକ ସାଧାରଣ କ୍ୟାନ୍‌ସର। ବିଶ୍ୱରେ ଯେତେ ମହିଳା ଏହି ରୋଗରେ ପୀଡ଼ିତ, ତାହାର ଏକ-ତୃତୀୟାଂଶ କେବଳ ଭାରତରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟରୁ ଜଣାପଡ଼ିଛି। ତଥ୍ୟ ଅନୁଯାୟୀ, ଭାରତୀୟ ମହିଳାଙ୍କଠାରେ ଗ୍ରୀବା କର୍କଟ ଦ୍ୱିତୀୟ ସବୁଠୁ ସାଧାରଣ କ୍ୟାନ୍‌ସର। ପ୍ରତିବର୍ଷ ପ୍ରାୟ ୮୦,୦୦୦ ନୂଆ ମାମଲା ସାମ୍‌ନାକୁ ଆସୁଥିବାବେଳେ ୪୨,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥାନ୍ତି। ମହିଳାଙ୍କଠାରେ ପ୍ରତିକାରଯୋଗ୍ୟ କ୍ୟାନ୍‌ସରକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ସ୍ବରୂପ ଦେଶବ୍ୟାପୀ ହ୍ୟୁମ୍ୟାନ ପଲିଲୋମା ଭାଇରସ୍‌ (ଏଚ୍‌ପିଭି) ଟିକାକରଣ କାର୍ଯ୍ୟକ୍ରମ ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି। ୧୪ ବର୍ଷୀୟା ଝିଅମାନଙ୍କୁ ଏହି ଟିକା ପ୍ରଦାନ କରାଯିବ, ଯାହା ଗର୍ଭାଶୟ ଗ୍ରୀବା କର୍କଟ ଦୂର କରିବାରେ ସହାୟକ ହେବ।
ସୂତ୍ର ଅନୁଯାୟୀ, ଏହି ଟିକାକରଣ କାର୍ଯ୍ୟକ୍ରମରେ ଏକକ ଡୋଜ୍‌ ଗାର୍ଡାସିଲ୍‌ ବ୍ୟବହାର କରାଯିବ, ଯାହା ୪ ପ୍ରକାର କର୍କଟ ରୋଗକୁ ରୋକିବାକୁ ଥିବା ଏଚ୍‌ପିଭି ଭାକ୍ସିନ୍‌। ଏହା ଏଚ୍‌ପିଭି ଟାଇପ୍‌ ୧୬ ଏବଂ ୧୮ ବିରୋଧରେ ସୁରକ୍ଷା ପ୍ରଦାନ କରିବ, ଯାହା ଗର୍ଭାଶୟ ଗ୍ରୀବା କର୍କଟ ଘଟାଇଥାଏ। ଏହା ବ୍ୟତୀତ ଏଚ୍‌ପିଭି ଟାଇପ୍‌ ୬ ଏବଂ ଟାଇପ୍‌ ୧୧ ବିରୋଧରେ ମଧ୍ୟ ଏହି ଟିକା ସୁରକ୍ଷା ଦେବ। ଏହା ସରକାରଙ୍କ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ନ ହୋଇ ଏକ ସ୍ବତନ୍ତ୍ର ଟିକାକରଣ ଅଭିଯାନ ଭାବେ ପ୍ରଦାନ କରାଯିବ। ଡବ୍ଲ୍ୟୁଏଚ୍‌ଓ ଏଥିପାଇଁ ସୁପାରିସ କରିଥିଲା।
ଗ୍ରୀବା କର୍କଟର ମୂଳୋତ୍ପାଟନରେ ଏଚ୍‌ପିଭି ଟିକାକରଣ ବୈଶ୍ୱିକ ରଣନୀତିର ମୁଖ୍ୟ ସ୍ତମ୍ଭ ବୋଲି ଡବ୍ଲ୍ୟୁଏଚ୍‌ଓ କହିଥିଲା। ଖୋଲା ବଜାରରେ କ୍ୱାଡ୍ରିଭାଲେଣ୍ଟ ଗାର୍ଡାସିଲ୍‌-୪ର ୨ ଡୋଜ୍‌ ବିଶିଷ୍ଟ ଟିକା ଉପଲବ୍ଧ ଏବଂ ପ୍ରତି ଡୋଜ୍‌ର ଦାମ୍‌ ୩,୯୨୭ ଟଙ୍କା ରହିଛି, ଯାହାକୁ ୧୫ ବର୍ଷରୁ କମ୍‌ ବୟସର ଝିଅଙ୍କୁ ଦିଆଯାଇପାରିବ। ୧୫ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ଉକ୍ତ ଟିକାର ୩ଟି ଡୋଜ୍‌ ଆବଶ୍ୟକ। ଏମ୍‌ଏସ୍‌ଡି ଇଣ୍ଡିଆ ଏହି ଟିକା ପ୍ରସ୍ତୁତ କରୁଛି। ଜାତୀୟ କାର୍ଯ୍ୟକ୍ରମ ଅଧୀନରେ ଏହି ଟିକାକରଣ ସ୍ବେଚ୍ଛାକୃତ ଏବଂ ମାଗଣା ହେବ। ଠିକ୍‌ ବୟସରେ ପ୍ରତିକାର କରାଗଲେ ଏହା କର୍କଟ ବିରୋଧରେ ଜୀବନବ୍ୟାପୀ ସୁରକ୍ଷା ଦେବ ଏବଂ ଦେଶରେ ସର୍ଭିକାଲ କ୍ୟାନ୍‌ସରର ଭବିଷ୍ୟତ ବୋଝକୁ ଯଥେଷ୍ଟ ଲାଘବ କରିବ। ୨୦୦୬ରେ ଉକ୍ତ ଟିକା ପ୍ରଥମେ ଆସିବା ପରଠାରୁ ବିଶ୍ୱବ୍ୟାପୀ ଏହାର ୫୦ କୋଟିରୁ ଅଧିକ ଡୋଜ୍‌ ଦିଆଗଲାଣି। ତେଣୁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ରେକର୍ଡ ରହିଛି। ପର୍ଯ୍ୟାପ୍ତ ଟିକାକରଣ ଯୋଗୁ ବିଭିନ୍ନ ଦେଶରେ ଏଚ୍‌ପିଭି ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି। ଭାରତରେ ଏହି ଟିକାକରଣ ଆରମ୍ଭ ହେବା ପରେ ଏହା ବିଶ୍ୱରେ ଟିକାକରଣ କରିଥିବା ୧୬୦ ଦେଶ ମଧ୍ୟରେ ସାମିଲ ହେବ। ୯୦ରୁ ଊର୍ଦ୍ଧ୍ୱ ଦେଶ ଏକକ ଡୋଜ୍‌ ବିଶିଷ୍ଟ ଏଚ୍‌ପିଭି ଟିକାକରଣକୁ ଆପଣାଇଛନ୍ତି। ସର୍ଭିକାଲ କ୍ୟାନ୍‌ସର ରୋକିବାରେ ଏହା ୯୩ରୁ ୧୦୦ ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହୋଇଛି। ଭାରତରେ ଦେଶବ୍ୟାପୀ ହେବାକୁ ଥିବା ଏହି ଟିକାକରଣ ‘ସ୍ବସ୍ଥ ନାରୀ’ ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ସଫଳତା ହେବ, ଯାହା ମହିଳା ସ୍ବାସ୍ଥ୍ୟସେବାର ମୂଳଦୁଆ ଭାବେ ସୁରକ୍ଷା, ପ୍ରତିକାର ଏବଂ ସମାନତାକୁ ସୁନିଶ୍ଚିତ କରିବ।

Dharitri – Odisha’s No.1 Odia Daily

Share