ନେପାଳ ଗସ୍ତରେ ଯିବ ଭାରତ-ଏ ଟିମ, ଖେଳିବ ୩ଟି ଟି-୨୦ ମ୍ୟାଚ; ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିପାରେ ସୁଯୋଗ! ଜାଣନ୍ତୁ ପୂରା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୭।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ଭାରତୀୟ-ଏ ଦଳର ଅଭିଯାନ ଶେଷ ହୋଇଛି। ସେମିଫାଇନାଲରେ ଶ୍ରୀଲଙ୍କାଠାରୁ ପରାଜୟ ବରଣ କରିବା ପରେ ଟୁର୍ନାମେଣ୍ଟରୁ ବିଦାୟ ନେଇଛି ଦଳ। ତେବେ ଆସନ୍ତା ମାସରେ ଭାରତୀୟ-ଏ ଦଳ ନେପାଳ ଗସ୍ତରେ ଯିବ। ସେଠାରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହା ଅନ୍ତର୍ଜାତୀୟ ସିରିଜ ନହେଲେ ମଧ୍ୟ ଉଭୟ ଦଳ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ ମିଳିବା ଆଶା କରାଯାଉଛି। ଏହି ସିରିଜର କାର୍ଯ୍ୟସୂଚୀ ଉପରେ ନଜର ପକାନ୍ତୁ।

ନେପାଳ ବିପକ୍ଷରେ ଭାରତୀୟ-ଏ ଦଳ ତିନୋଟି ଟି-୨୦ ମ୍ୟାଚ ଖେଳିବ। ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୯ ତାରିଖରେ ଖେଳାଯିବ। ଏହାପରେ ଦ୍ୱିତୀୟ ମ୍ୟାଚ ଡିସେମ୍ବର ୧୧ ଓ ତୃତୀୟ ମ୍ୟାଚ ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ସମସ୍ତ ମ୍ୟାଚ ସକାଳ ୯ଟା ୪୫ ମିନିଟରେ ଆରମ୍ଭ ହେବ। ଏହି ସିରିଜ ପାଇଁ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା ହୋଇନାହିଁ। ତେଣୁ ତିଳକ ବର୍ମା ହିଁ ଦଳର ନେତୃତ୍ୱ ନେବେ ନା ଅନ୍ୟ କାହାକୁ ଅଧିନାୟକ ଦାୟିତ୍ୱ ମିଳିବ, ତାହା ଦେଖିବାକୁ ବାକି ରହିଲା।

ଏହି ସିରିଜରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସୁଯୋଗ ମିଳିବା ନେଇ ଆଶା କରାଯାଉଛି। ଏସିଆ କପ ରାଇଜିଂ ଷ୍ଟାର୍ସରେ ୟୁଏଇ ବିପକ୍ଷ ମ୍ୟାଚରେ ସେ ଦ୍ୱିଶତକ ହାସଲ କରିଥିଲେ। ଯଦିଓ ସେହି ମ୍ୟାଚଟି ଦିନିକିଆ ଥିଲା, ତଥାପି ବୈଭବଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଟି-୨୦ ଶୈଳୀର ଥିଲା। ତେଣୁ ଟି-୨୦ ମ୍ୟାଚରେ ତାଙ୍କ ବ୍ୟାଟିଂ ଦେଖିବାକୁ ପ୍ରଶଂସକ ଉତ୍ସୁକ ରହିଛନ୍ତି।

ସିରିଜ ଆରମ୍ଭ ହେବାକୁ ଆଉ ବେଶୀ ଦିନ ବାକି ନଥିବାରୁ ଖୁବଶୀଘ୍ର ଭାରତୀୟ ଦଳ ଘୋଷଣା ହୋଇପାରେ। ଡିସେମ୍ବରରେ ଶ୍ରୀଲଙ୍କା ସହ ୩ ଦିନିକିଆ ଓ ୩ ଟି-୨୦ ମ୍ୟାଚ ଅନ୍ୟପଟେ ଡିସେମ୍ବର ମାସରେ ଭାରତୀୟ ସିନିୟର ଦଳ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ ଖେଳିବ। ଡିସେମ୍ବର ୧୩ ତାରିଖରୁ ଏହି ସିରିଜ ଆରମ୍ଭ ହେବ ଏବଂ ତୃତୀୟ ତଥା ଶେଷ ମ୍ୟାଚ ଡିସେମ୍ବର ୧୯ରେ ଖେଳାଯିବ। ଏହାପରେ ଉଭୟ ଦଳ ମଧ୍ୟରେ ତିନୋଟି ଟି-୨୦ ମ୍ୟାଚ ମଧ୍ୟ ଖେଳାଯିବ। ଯଦି ବୈଭବ ସୂର୍ଯ୍ୟବଂଶୀଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଏ, ତେବେ ସେ ସେତେବେଳକୁ ନେପାଳ ଗସ୍ତରୁ ଫେରିଆସିଥିବେ। ଏଭଳି ସ୍ଥିତିରେ ତାଙ୍କୁ ପ୍ରଥମେ ନେପାଳ ଓ ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବାର ସୁଯୋଗ ମିଳିପାରେ। ତେବେ ଏବେ ସମସ୍ତଙ୍କ ନଜର ଭାରତୀୟ-ଏ ଦଳ ଘୋଷଣା ଓ ଅଧିନାୟକ ଚୟନ ଉପରେ ରହିଛି।

Dharitri – Odisha’s No.1 Odia Daily

Share