Categories: Home Leftଖେଳ

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪୮୬/୪

ଓ୍ବେଲିଂଟନ,୨୧।୧୧: ଲୋକେଶ ରାହୁଲଙ୍କ ଶତକ ଏବଂ ଅଧିନାୟକ ଶୁବମନ ଗିଲଙ୍କ ୯୮ ରନର ଇନିଂସ ବଳରେ ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତ ଇନିଂସ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍‌ର ତୃତୀୟ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନାମରେ ରହିଛି। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୬୮ ରନ କରିଥିବା ବେଳେ ଭାରତ ତୃତୀୟ ଦିନ ଶେଷ ସୁଦ୍ଧା ୪ ଉଇକେଟ ହରାଇ ୪୮୬ ରନ କରିଛି। ମ୍ୟାଚ୍‌ରେ ଦୁଇଦିନ ବାକିଥିବା ବେଳେ ଭାରତ ହାତରେ ୬ ଉଇକେଟ ରଖି ୧୧୮ ରନରେ ଆଗରେ ରହିଛି। ଷ୍ଟମ୍ସ ବେଳକୁ ରିଷଭ ପନ୍ତ ୫୫ ଓ ଅଂଶୁଲ କମ୍ବୋଜ ବିନା ରନରେ ଅପରାଜିତ ରହିଛନ୍ତି।

ଭାରତ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧/୧୫୯ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବ ଦିନର ଦୁଇ ଅପରାଜିତ ବ୍ୟାଟର ରାହୁଲ ଓ ଦେବଦତ୍ତ ପାଡିକଲ ଦ୍ୱିତୀୟ ଉଇକେଟରେ ୧୬୫ ରନ ଯୋଡ଼ିଥିଲେ। କ୍ରମାଗତ ତୃତୀୟ ଟେଷ୍ଟ ଶତକ ଦିଗରେ ଅଗ୍ରସର ହେଉଥିବା ପାଡିକଲ ୧୭୫ ବଲରେ ୮୦ (୧୦ ଚୌକା) ରନ କରି ଆଉଟ୍‌ ହୋଇଥିଲେ। ରାହୁଲ ଓ ଅଧିନାୟକ ଗିଲ ତୃତୀୟ ଉଇକେଟରେ ୯୧ ରନର ଭାଗୀଦାରି କରିଥିଲେ।

ଦଳୀୟ ସ୍କୋର ୩୮୬/୨ ଥିବା ବେଳେ ରାହୁଲ ୨୯୦ ବଲରେ ୧୩୬ ରନ କରି ନାଥନ ସ୍ମିଥଙ୍କ ବଲରେ କ୍ଲିନବୋଲ୍ଡ ହୋଇଥିଲେ। ତାଙ୍କ ଇନିଂସରେ ୯ ଚୌକା ଓ ୨ ଛକା ସାମିଲ ଥିଲା। ଏହା ତାଙ୍କ କ୍ୟାରିୟରର ୧୩ତମ ଟେଷ୍ଟ ଶତକ ଥିଲା। ଏହାପରେ ଗିଲ୍‌ ଓ ପନ୍ତ ଚତୁର୍ଥ ଉଇକେଟରେ ୧୦୦ ରନ ଯୋଡ଼ି ଦଳୀୟ ସ୍କୋରକୁ ୫୦୦ ପାଖରେ ପହଞ୍ଚାଇଥିଲେ। ପନ୍ତ ତାଙ୍କ କ୍ୟାରିୟରର ୨୨ତମ ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ଗିଲ ଶତକ ହାତଛଡ଼ା କରିଥିଲେ। ଶତକଠାରୁ ଦୁଇ ରନ ଦୂରରେ ଥିବା ଗିଲ୍‌ (୯୮ ରନ, ୯ ଚୌକା ଓ ୨ ଛକା) ଦିନର ଅନ୍ତିମ ଓଭରରେ ଜେକବ ଡଫିଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ନ୍ୟୁଜିଲାଣ୍ଡ ପାଇଁ ମ୍ୟାଟ ହେନରୀ, କାଏଲ ଜେମିସନ, ଜେକବ ଡଫି ଓ ନାଥନ ସ୍ମିଥ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।

Share