ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ହେଲେ ପ୍ରତିକୂଳ ପାଗ ଓ ସୁରକ୍ଷା କାରଣରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଲଘୁଚାପଜନିତ ବର୍ଷା ଯୋଗୁ ସ୍ୱାଧୀନତା ଦିବସ ପରେଡ୍ ବାଧିତ ହୋଇଥିଲା।
ସକାଳ ୬ଟାରେ ପରେଡ୍ ପଡ଼ିଆର ସ୍ଥିତି ଯାଞ୍ଚ କରାଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ପଡ଼ିଆ ଅତ୍ୟନ୍ତ ଓଦା ହୋଇଥିବାରୁ ସାଧାରଣ ଯାନବାହନ ମଧ୍ୟ ଚଳାଚଳ କରିପାରି ନଥିଲା। ଏଭଳି ସ୍ଥିତିରେ ପରେଡ୍ ପାଇଁ ପଡ଼ିଆ ଅନୁକୂଳ ନ ଥିଲା। ଛାତ୍ରୀଛାତ୍ର ସାମାନ୍ୟ ଖସିପଡ଼ିଲେ ମଧ୍ୟ ଆଘାତ ପାଇବାର ଆଶଙ୍କା ରହିଥିଲା।
ଏଥିସହ ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ ସହ ବର୍ଷା ପାଇଁ ହଳଦିଆ ସତର୍କତା ଜାରି କରାଯାଇଥିଲା। ଏଭଳି ପରିସ୍ଥିତିରେ କୌଣସି ଅଘଟଣ ଘଟି ଛାତ୍ରଛାତ୍ରୀ ପ୍ରଭାବିତ ହେବାର ଆଶଙ୍କା ଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସେମାନଙ୍କୁ ପରେଡ୍ କାର୍ଯ୍ୟକ୍ରମକୁ ନ ଡାକିବାକୁ ନିଷ୍ପତ୍ତି ନିଆଯାଇଥିବା ଉପଜିଲାପାଳ ଅଭିଷେକ ଦିଲୀପ ଦୁଧାଲ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଆଗାମୀ ସପ୍ତାହରେ ଆୟୋଜିତ ହେବାକୁ ଥିବା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଡକାଯିବ ବୋଲି ସେ କହିଛନ୍ତି।
ଗୁଣପୁର ଉପଜିଲାପାଳ ଅଭିଷେକ ଦିଲୀପ ଦୁଧାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିନି ଷ୍ଟାଡିୟମ୍ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ଭୋର ୪ଟା ୩୦ ମିନିଟ୍ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୁନ ପ୍ରଚାର କରାଯାଇଥିଲା। ସକାଳ ୫ଟା ୩୦ ମିନିଟ୍ରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ରରୁ ପ୍ରଭାତଫେରି ଆୟୋଜିତ ହୋଇଥିଲା।
ସେହିପରି ସକାଳ ୭ଟା ୩୦ ମିନିଟ୍ରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପରେ ସକାଳ ୯ଟା ୧୫ ମିନିଟ୍ରେ ସ୍ଥାନୀୟ ମିନି ଷ୍ଟାଡିୟମ୍ରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଭାରତୀୟ ରିଜର୍ଭ ଫୋର୍ସ ଓ ଭାମିନି ଦଳର ସଦସ୍ୟମାନେ ଉପସ୍ଥିତ ରହି ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ।
Dharitri – Odisha’s No.1 Odia Daily