ରେଭେନ୍‌ଶା କ୍ୟାମ୍ପସରେ ଯୁବତୀଯୁବକଙ୍କ ଅସଂଯତ ଭିଡିଓ ଭାଇରାଲ

କଟକ ଅଫିସ,୨ା୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅସଂଯତ ଅବସ୍ଥାରେ ଯୁବତୀଯୁବକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସେମାନେ ଅଧ୍ୟୟନରତ ଛାତ୍ରୀଛାତ୍ର କି ବାହାର ପିଲା ତାହା ସ୍ପଷ୍ଟ ହୋଇପାରି ନାହିଁ। ରେଭେନ୍‌ଶାରେ ଅଣଛାତ୍ର ପ୍ରବେଶକୁ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାସତ୍ତ୍ୱେ ଏବେ ଅଣଛାତ୍ରଙ୍କ ପ୍ରବେଶ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଉତ୍ତମ ଶିକ୍ଷା ବ୍ୟବସ୍ଥାକୁ ନେଇ ସୁନାମ ଅର୍ଜନ କରିଥିବା ରେଭେନ୍‌ଶା ଏଭଳି କିଛି ଘଟଣାକୁ ନେଇ ଏବେ ସମାଲୋଚନାର ଶରବ୍ୟ ପାଲଟିଛି। ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟର ମିଡିିଆ ସେଲ୍‌ ଅଧ୍ୟକ୍ଷ ଧର୍ମବ୍ରତ ମହାପାତ୍ରଙ୍କୁ ପଚାରିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିନାହିଁ ବୋଲି କହିଛନ୍ତି। ଯଦି ଘଟଣାର ସତ୍ୟତା ଥିବା ଜଣାପଡିବ, ତାହେଲେ ଏହା ଏକ ନିନ୍ଦନୀୟ ଘଟଣା। ବିଶ୍ୱବିଦ୍ୟାଳୟରେ ନିୟମିତ ସମୟ ବ୍ୟବଧାନରେ ସୁରକ୍ଷା କର୍ମୀମାନେ କ୍ୟାମ୍ପସ ବୁଲି ଯାଞ୍ଚ କରୁଛନ୍ତି। ତେଣୁ ଏଭଳି ଘଟଣା ଯଦି ଘଟିଥିବ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାପାତ୍ର କହିଛନ୍ତି।