ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମହା ମୁକାବିଲାରେ ୧ ଉଇକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଛି। ଭାରତର ମୋହିତ ଉଲଭା ଏହି ବିଜୟର ନାୟକ ସାଜିଛନ୍ତି। ସେ ଅନ୍ତିମ ବଲ୍ରେ ଚୌକା ମାରି ଭାରତକୁ ଟ୍ରଫି ଜିତାଇଲେ।
ମୋହିତ ୪୯ ରନ୍ କରି ଅପରାଜିତ ରହିଲେ। ସେ କେବଳ ହାରିଯାଇଥିବା ମ୍ୟାଚକୁ ପୁନର୍ବାର ଫେରାଇ ଆଣିଲେ ତାହା ନୁହେଁ, ବରଂ ଦଳକୁ ବିଜୟ ପଥରେ ଆଗେଇ ନେଇଥିଲେ। ୩୩୮ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଭଲ ଆରମ୍ଭ କରିଥିଲା। ହେଲେ ମଧ୍ୟକ୍ରମର ବ୍ୟାଟରମାନେ ବିଫଳ ହେବାରୁ ଦଳ ପରାଜୟର ଦ୍ୱାରଦେଶରେ ପହଞ୍ଚି ଯାଇଥିଲା।
୨୫୨ ରନ ସ୍କୋରରେ ଭାରତ ଅଷ୍ଟମ ଉଇକେଟ ହରାଇଥିଲା। ସେତେବେଳେ ଦଳକୁ ଜିତିବା ପାଇଁ ଆଉ ୮୬ ରନ ଆବଶ୍ୟକ ଥିଲା ଏବଂ ହାତରେ ମାତ୍ର ୨ଟି ଉଇକେଟ ବାକି ରହିଥିଲା। ନବମ ଉଇକେଟ ପାଇଁ ମୈନାଲ ଚୌହାନ ଏବଂ ମୋହିତ ଉଲଭାଙ୍କ ମଧ୍ୟରେ ହୋଇଥିବା ୫୭ ରନର ଭାଗୀଦାରୀ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନର ଓପନର ଉସମାନ ଖାନ ଏକ ଶତକ ହାସଲ କରିଥିଲେ। ଦ୍ୱିତୀୟ ଉଇକେଟ ପାଇଁ ଅବଦୁଲ କାଦିରଙ୍କ ସହ ୧୩୫ ରନର ଭାଗୀଦାରୀ ଗଢ଼ିଥିଲେ। ଉସମାନ ୧୧୧ ବଲରୁ ୧୦୭ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୩ଟି ଛକା ଏବଂ ୧୧ଟି ଚୌକା ସାମିଲ ଥିଲା। କାଦିର ୫୪ ବଲରୁ ୮୦ ରନର ଏକ ବିସ୍ଫୋରକ ଇନିଂସ ଖେଳିଲେ। ଯେଉଁଥିରେ ୮ଟି ଛକା ଏବଂ ୩ଟି ଚୌକା ରହିଥିଲା। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ଅଧିନାୟକ ଫରହାନ ୟୁସୁଫ ମଧ୍ୟ ଏକ ଅର୍ଦ୍ଧଶତକ ହାସଲ କଲେ ଏବଂ ୬୦ ବଲରୁ ୬୩ ରନ ଯୋଗଦାନ ଦେଲେ। ଫଳରେ ପାକିସ୍ତାନ ୯ ଉଇକେଟ ହରାଇ ୩୩୭ ରନ୍ ସଂଗ୍ରହ କରିଥିଲା। ଟାଇଟଲ ହାତେଇବା ପାଇଁ ଭାରତକୁ ୩୩୮ ରନର ଆବଶ୍ୟକତା ରହିଥିଲା।