ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା। ଭାରତୀୟ ସମୟ ଅନୁସାରେ ସକାଳ ୧୦ଟା ୩୦ ମିନିଟ୍ରେ ଏହି ମ୍ୟାଚ ଆରମ୍ଭ ହେବ। ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ପାକିସ୍ତାନ ୩ ଉଇକେଟ୍ରେ ବିଜୟୀ ହୋଇଥିଲା। ତେବେ ଏଥର ଟିମ ଇଣ୍ଡିଆ କେବଳ ପରାଜୟର ପ୍ରତିଶୋଧ ନେବାକୁ ନୁହେଁ, ବରଂ ରେକର୍ଡ ନବମ ଥର ପାଇଁ ଅଣ୍ଡର-୧୯ ଏସିଆ କପ ଟ୍ରଫି ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।
ଭାରତ ଟ୍ରଫି ଜିତିବା ପୂର୍ବରୁ କିନ୍ତୁ କ୍ରିକେଟ କିମ୍ବଦନ୍ତୀ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିପାରନ୍ତି। ଏହି ଟୁର୍ନାମେଣ୍ଟରେ ଆର୍ଯ୍ୟବୀର ଏଯାବତ୍ ୩୦୩ ରନ ସଂଗ୍ରହ କରିଛନ୍ତି। ଗୋଟିଏ ଅଣ୍ଡର-୧୯ ଏସିଆ କପ୍ରେ ସର୍ବାଧିକ ରନ କରିଥିବା ଭାରତୀୟ ବ୍ୟାଟର୍ ହେବା ପାଇଁ ତାଙ୍କୁ ଆଉ ୬୮ ରନ ଆବଶ୍ୟକ।
ବାସ୍ତବରେ, ଗୋଟିଏ ଅଣ୍ଡର-୧୯ ଏସିଆ କପ ଟୁର୍ନାମେଣ୍ଟରେ ସର୍ବାଧିକ ରନ କରିବାର ଭାରତୀୟ ରେକର୍ଡ ଉନ୍ମୁକ୍ତ ଚାନ୍ଦଙ୍କ ନାମରେ ରହିଛି। ସେ ୨୦୧୨ ଏସିଆ କପରେ ୫ଟି ପାଳିରୁ ୩୭୦ ରନ କରିଥିଲେ। ଗତ ୧୪ ବର୍ଷ ଧରି ଏହି ରେକର୍ଡ ତାଙ୍କ ନାମରେ ରହିଛି।
ଅନ୍ୟପକ୍ଷରେ, ଆର୍ଯ୍ୟବୀର ସେହୱାଗ ଚଳିତ ଅଣ୍ଡର-୧୯ ଏସିଆ କପ ୨୦୨୬ରେ ଏଯାବତ୍ ୪ଟି ପାଳିରୁ ୩୦୩ ରନ କରିଛନ୍ତି। ଉନ୍ମୁକ୍ତ ଚାନ୍ଦଙ୍କ ରେକର୍ଡ ଭାଙ୍ଗିବା ପାଇଁ ପାକିସ୍ତାନ ବିପକ୍ଷ ଫାଇନାଲରେ ତାଙ୍କୁ ଅତିକମରେ ୬୮ ରନ କରିବାକୁ ପଡ଼ିବ। ଫାଇନାଲେରେ ୬୮ ରନ ପୂରଣ କରିବା ମାତ୍ରେ ଗୋଟିଏ ଅଣ୍ଡର-୧୯ ଏସିଆ କପରେ ସର୍ବାଧିକ ରନ କରିଥିବା ଭାରତୀୟ ବ୍ୟାଟର୍ ଭାବେ ସେ ନୂଆ ରେକର୍ଡ ସ୍ଥାପନ କରିବେ।
ଆର୍ଯ୍ୟବୀର ଏବେ ଚମତ୍କାର ଫର୍ମରେ ଅଛନ୍ତି। ଚଳିତ ଟୁର୍ନାମେଣ୍ଟରେ ସେ ଏକ ଶତକ ସହ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ପାକିସ୍ତାନ ବିପକ୍ଷ ଗ୍ରୁପ ମ୍ୟାଚରେ ସେ ମାତ୍ର ୨୨ ରନ କରିପାରିଥିଲେ। ଫାଇନାଲରେ ଏହି ଅଭାବକୁ ପୂରଣ କରିବାକୁ ସେ ନିଶ୍ଚିତ ଭାବେ ଚେଷ୍ଟା କରିବେ। ଉଲ୍ଲେଖଯୋଗ୍ୟ, ଚଳିତ ଟୁର୍ନାମେଣ୍ଟରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର୍ ମଧ୍ୟ ଆର୍ଯ୍ୟବୀର ହିଁ ଅଟନ୍ତି।
ଲକ୍ଷ୍ୟ ରାୟଚନ୍ଦାନୀଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ପାଇଁ ପାକିସ୍ତାନକୁ ହରାଇ ଟ୍ରଫି ଜିତିବା ସହଜ ହେବ ନାହିଁ। କାରଣ ପାକିସ୍ତାନ ଚଳିତ ଟୁର୍ଣ୍ଣାମେଣ୍ଟରେ ଏଯାବତ୍ ଗୋଟିଏ ବି ମ୍ୟାଚ ହାରିନାହିଁ। ତେବେ ଭାରତ ୮ ଥର ଏହି ଟୁର୍ନାମେଣ୍ଟର ଚାମ୍ପିୟନ ହୋଇସାରିଛି। କିନ୍ତୁ ଗତ ୩ଟି ସଂସ୍କରଣରେ ଟିମ ଇଣ୍ଡିଆକୁ ଟାଇଟଲ୍ରୁ ବଞ୍ଚିତ ହେବାକୁ ପଡ଼ିଛି। ତେଣୁ ଏଥର ଫାଇନାଲ ଜିତି ପୁଣିଥରେ ଚାମ୍ପିୟନ ହେବା ଭାରତୀୟ ଯୁବ ଦଳର ପ୍ରମୁଖ ଲକ୍ଷ୍ୟ ରହିବ।