ନୂଆଦିଲ୍ଲୀ,୨୧।୧୧: ମେନ୍ସ ବ୍ଲାଇଣ୍ଡ କ୍ରିକେଟ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାର ଥିଲା। ହେଲେ ବାଂଲାଦେଶର ଢାକାରେ ଲଗାତାର ବର୍ଷା ହେବାରୁ ଟସ୍ ମଧ୍ୟ ପଡ଼ିପାରି ନଥିଲା। ଏହାପରେ ଉନ୍ନତ ନେଟ ରନ ରେଟ ଆଧାରରେ ପାକିସ୍ତାନକୁ ଚାମ୍ପିୟନ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତିକୁ ଭାରତୀୟ ଦଳ ବିରୋଧ କରିବା ସହ ଟ୍ରଫି ପ୍ରଦାନ ସମାରୋହକୁ ବର୍ଜନ କରିଥିଲା। ଅନ୍ୟପଟେ ଟ୍ରଫି ହାସଲ କରିବା ପରେ ପାକିସ୍ତାନୀ ବ୍ଲାଇଣ୍ଡ କ୍ରିକେଟରଙ୍କ ବିବାଦୀୟ ସେଲିବ୍ରେଶନର ଭିଡିଓ ଏବେ ଭାଇରାଲ ହେଉଛି।
ସାକ୍ଷାତକାର ଦେଇ କ୍ରିକେଟ ଆସୋସିଏଶନ ଫର୍ ଦି ବ୍ଲାଇଣ୍ଡ ଇନ ଇଣ୍ଡିଆ (CABI)ର ସଚିବ ଶୈଳେନ୍ଦ୍ର ଯାଦବ କହିଛନ୍ତି ଯେ, ଏହି ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଭାରତୀୟ ଦଳ ଆଗକୁ ପାକିସ୍ତାନ ସହ କୌଣସି ମ୍ୟାଚ ଖେଳିବ ନାହିଁ।
ରିପୋର୍ଟ ଅନୁସାରେ, ଫାଇନାଲ ମ୍ୟାଚ ବାତିଲ ହେବା ପରେ ଭାରତ ଓ ପାକିସ୍ତାନକୁ ଯୁଗ୍ମ ବିଜେତା ଘୋଷଣା କରିବା ପାଇଁ ୱାଲର୍ଡ ବ୍ଲାଇଣ୍ଡ କ୍ରିକେଟ କାଉନସିଲ (WBCC)ର ବୈଷୟିକ କମିଟି ସହମତି ପ୍ରକାଶ କରିଥିଲା। କିନ୍ତୁ WBCCର ଅଧ୍ୟକ୍ଷ ତଥା ପାକିସ୍ତାନ ବ୍ଲାଇଣ୍ଡ କ୍ରିକେଟ କାଉନସିଲର ମୁଖ୍ୟ ସୁଲତାନ ଶାହ ଏହି ନିଷ୍ପତ୍ତିକୁ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି। ସେ ମ୍ୟାଚ ରେଫରିଙ୍କୁ ପାକିସ୍ତାନକୁ ଚାମ୍ପିୟନ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ଭାରତ ତୁଳନାରେ ପାକିସ୍ତାନର ନେଟ ରନ ରେଟ ଅଧିକ ଥିବାରୁ ଏହି ଆଧାରରେ ତାକୁ ବିଜେତା ଘୋଷଣା କରାଯାଇଥିଲା। ନେଟ ରନ ରେଟ ଆଧାରରେ ପାକିସ୍ତାନକୁ ଚାମ୍ପିୟନ ଘୋଷଣା କରାଯିବାକୁ ନେଇ ଭାରତୀୟ ଦଳ ଅସନ୍ତୋଷ ପ୍ରକାଶ କରିଛି। ବର୍ଷା ଯୋଗୁ ଫାଇନାଲ ମ୍ୟାଚ ବାତିଲ ହେଲେ ଚାମ୍ପିୟନ ଚୟନ ପାଇଁ ନେଟ ରନ ରେଟ ନିୟମ ଲାଗୁ ହୁଏ ନାହିଁ ବୋଲି ଭାରତୀୟ ଦଳ ଯୁକ୍ତି ବାଢ଼ିଛି।
ରିପୋର୍ଟରେ ଜଣେ ଅଧିକାରୀଙ୍କ ମତକୁ ଉଦ୍ଧୃତ କରି ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ’ ବ୍ୟବସ୍ଥା ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ଅଧିକାରୀ ଜଣକ କହିଛନ୍ତି, “ସବୁଠି ଫାଇନାଲ ପାଇଁ ରିଜର୍ଭ ଡେ’ ରଖାଯାଏ। ଯଦି ଏହାର ବ୍ୟବସ୍ଥା ନଥାଏ, ତେବେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଏ। ନେଟ ରନ ରେଟ କେବଳ କ୍ୱାଲିଫାୟର୍ ମ୍ୟାଚ ପାଇଁ ବିଚାରକୁ ନିଆଯାଏ, ଫାଇନାଲ ପାଇଁ ନୁହେଁ।”
ଅନ୍ୟପଟେ ଟ୍ରଫି ହାସଲ କରିବା ପରେ ପାକିସ୍ତାନ ବ୍ଲାଇଣ୍ଡ କ୍ରିକେଟ ଦଳର ଖେଳାଳିମାନେ କରିଥିବା ସେଲିବ୍ରେଶନକୁ ନେଇ ମଧ୍ୟ ସମାଲୋଚନା ହେଉଛି। ସେମାନେ ବିମାନ ଖସାଇବା ଭଳି ଇସାରା କରି ସେଲିବ୍ରେସନ କରିଥିଲେ। ଏହାକୁ ଭାରତ ବିରୋଧରେ ପାକିସ୍ତାନର ମିଥ୍ୟା ଦାବି ସହ ଯୋଡ଼ାଯାଉଛି। ବିଶେଷକରି ଅପରେସନ ସିନ୍ଦୂର ସମୟରେ ଭାରତୀୟ ବିମାନ ଖସାଇଥିବା ନେଇ ପାକିସ୍ତାନ କରିଥିବା ଦାବିକୁ ଏହି ଇସାରା ସହ ଯୋଡ଼ି ଦେଖାଯାଉଛି।