ନୂଆଦିଲ୍ଲୀ, ୯।୧୧: ଭାରତୀୟ କ୍ରିକେଟ ଟିମ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ଯାହାଫଳରେ ଟିମ ଇଣ୍ଡିଆ ଏବେ ଦିନିକିଆ ସିରିଜ ଜିତିବାର ଖୁବ ନିକଟରେ ପହଞ୍ଚିଛି। ଭାରତୀୟ ଟିମର ଅଧିନାୟକ ଶୁଭମନ ଗିଲଙ୍କ ପାଇଁ ଏହା ହେବ ଏହି ଦିନିକିଆ ସିରିଜର ଶେଷ ମ୍ୟାଚ। ତେଣୁ ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜ ନିଜ ନାମରେ କରିବାକୁ ଚାହିଁବେ ସେ। ଏଥିପାଇଁ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ମିଶି ସର୍ବଶ୍ରେଷ୍ଠ ପ୍ଲେଇଂ ଇଲେଭେନ ସହ ପଡ଼ିଆକୁ ଓହ୍ଲାଇବେ। ଏପରି ସ୍ଥିତିରେ ୪ ଜଣ ଷ୍ଟାର୍ ଖେଳାଳିଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ଏହି ଖେଳାଳିମାନଙ୍କୁ ନିଜ ପାଳି ପାଇଁ ଅପେକ୍ଷା କରିବାକୁ ହେବ।
ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରେ ଖେଳିବାର ସୁଯୋଗ ମିଳିନାହିଁ। ତୃତୀୟ ମ୍ୟାଚରେ ମଧ୍ୟ ତାଙ୍କୁ ଖେଳିବାର ସୁଯୋଗ ମିଳିବା ସମ୍ଭାବନା କମ। ଅଂଶୁଲ କାମ୍ବୋଜ ତୃତୀୟ ମ୍ୟାଚ ପରେ ଦିନିକିଆ ଟିମର ଅଂଶ ରହିବେ ନାହିଁ। ତେଣୁ ଚତୁର୍ଥ ଦିନିକିଆରେ ସିରାଜଙ୍କୁ ଖେଳିବାର ସୁଯୋଗ ମିଳିପାରେ। ବର୍ତ୍ତମାନ ତାଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।
ଉଇକେଟ୍କିପର ବ୍ୟାଟର୍ ଈଶାନ କିଶନଙ୍କୁ ମଧ୍ୟ ଏବେ ଅପେକ୍ଷା କରିବାକୁ ପଡ଼ିବ। ସେ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚରେ ବେଞ୍ଚରେ ବସିଥିଲେ। ଏବେ ତୃତୀୟ ମ୍ୟାଚରେ ମଧ୍ୟ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ତେବେ ଚତୁର୍ଥ ଦିନିକିଆ ମ୍ୟାଚରେ କେଏଲ ରାହୁଲ ଟିମର ଅଂଶ ରହିବେ ନାହିଁ। ଏପରି ସ୍ଥିତିରେ ଇଶାନଙ୍କ ପାଇଁ ପ୍ଲେଇଂ ଇଲେଭେନରେ ସ୍ଥାନ ପକ୍କା ହୋଇପାରେ।
ସ୍ପିନ ବୋଲର କୁଲଦୀପ ଯାଦବଙ୍କୁ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଖେଳିବାର ସୁଯୋଗ ମିଳିନାହିଁ। ଟି-୨୦ ପରେ ଏବେ ଦିନିକିଆ ଫର୍ମାଟରେ ମଧ୍ୟ ସେ ବେଞ୍ଚରେ ବସିଥିବା ନଜର ଆସୁଛନ୍ତି। ତୃତୀୟ ମ୍ୟାଚରେ ମଧ୍ୟ କୁଲଦୀପଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ଟିମ ଇଣ୍ଡିଆ ବର୍ତ୍ତମାନ ପ୍ଲେଇଂ ଇଲେଭେନରେ ୪ ଜଣ ଦ୍ରୁତ ବୋଲରଙ୍କୁ ସୁଯୋଗ ଦେଉଛି। ଏହି କାରଣରୁ କୁଲଦୀପଙ୍କ ପାଇଁ ଟିମରେ ସ୍ଥାନ ମିଳିବା କଷ୍ଟକର ହେଉଛି।
ମଧ୍ୟକ୍ରମ ବ୍ୟାଟର୍ ଋତୁରାଜ ଗାଏକୱାଡଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ଗାଏକୱାଡଙ୍କୁ ମଧ୍ୟ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରେ ବେଞ୍ଚରେ ବସିବାକୁ ପଡ଼ିଛି। ତୃତୀୟ ମ୍ୟାଚରେ ମଧ୍ୟ ତାଙ୍କୁ ବେଞ୍ଚରେ ବସି ନିଜ ପାଳିକୁ ଅପେକ୍ଷା କରିବାକୁ ହେବ। ତେବେ ଶୁଭମନ ଗିଲ ଟେଷ୍ଟ ମ୍ୟାଚର ପ୍ରସ୍ତୁତି ପାଇଁ ଯିବା ପରେ ଚତୁର୍ଥ ଦିନିକିଆରେ ଗାଏକୱାଡଙ୍କୁ ଖେଳିବାର ସୁଯୋଗ ମିଳିପାରେ।
ତୃତୀୟ ଦିନିକିଆ ପାଇଁ ସମ୍ଭାବ୍ୟ ଭାରତୀୟ ଏକାଦଶ:
ରୋହିତ ଶର୍ମା, ଶୁଭମନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ ରାହୁଲ (ଉଇକେଟ୍କିପର), ନମନ ଧୀର, ଅକ୍ଷର ପଟେଲ, ଅଂଶୁଲ କାମ୍ବୋଜ, ଆକିବ ନବି, ଅର୍ଶଦୀପ ସିଂହ ଏବଂ ଗୁରନୂର ବରାଡ଼।