େଓ଼୍ବଲିଂଟନ,୨୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଟିମ ଇଣ୍ଡିଆ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୬୮ ରନ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ବିସ୍ଫୋରକ ବ୍ୟାଟିଂ କରି ୯ ୱିକେଟ ହରାଇ ୭୨୦ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା। ଭାରତର ବ୍ୟାଟିଂ ଲାଇନଅପ ମ୍ୟାଚରେ ବେଶ ପ୍ରଭାବଶାଳୀ ରହିଥିଲା ଏବଂ ପ୍ରଥମ ଇନିଂସରେ ଏତେ ବଡ଼ ସ୍କୋର ଛିଡ଼ା କରି ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଛି।
ଟିମ ଇଣ୍ଡିଆର ଆରମ୍ଭ ଅତ୍ୟନ୍ତ ଚମତ୍କାର ଥିଲା। ଯଶସୱୀ ଜୟସୱାଲ ଏବଂ କେଏଲ ରାହୁଲଙ୍କ ମଧ୍ୟରେ ୧୩୦ ରନ୍ର ଭାଗିଦାରୀ ଦେଖିବାକୁ ମିଳିଥିଲା। ଯଶସୱୀ ଜୟସୱାଲ ୮୯ଟି ବଲ୍ର ସାମ୍ନା କରି ୮୫ ରନ କରିଥିବା ବେଳେ କେଏଲ ରାହୁଲ ୧୩୬ ରନ୍ର ଦମଦାର ଇନିଂସ ଖେଳିଥିଲେ। ଦେବଦତ୍ତ ପାଡ଼ିକଲ ୮୦ ରନ କରିଥିବା ବେଳେ ଶୁବମନ ଗିଲ ୯୮ ରନ କରି ନିଜ ଶତକରୁ ମାତ୍ର ଦୁଇ ରନ ଦୂରରେ ରହିଯାଇଥିଲେ।
ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଆକ୍ରମଣାତ୍ମକ ଅନ୍ଦାଜ ଦେଖାଇଥିଲେ। ସେ ୧୦ଟି ଚୌକା ଏବଂ ୬ଟି ଛକା ସହାୟତାରେ ୧୨୮ ରନ କରିଥିଲେ। ଧ୍ରୁବ ଜୁରେଲ ମଧ୍ୟ ୭୮ ରନ କରିଥିଲେ। ଅଂଶୁଲ କମ୍ୱୋଜ ୩୮ ରନ, ୱାଶିଂଟନ ସୁନ୍ଦର ୨୪ ରନ ଏବଂ ଆକାଶ ଦୀପ ୧୩ ରନ୍ର ଅବଦାନ ଦେଇଥିଲେ। ଏହି କାରଣରୁ ଟିମ ଇଣ୍ଡିଆ ୧୬୬ ଓଭରରେ ୯ ୱିକେଟ ହରାଇ ୭୨୦ ରନ କରିବାରେ ସଫଳ ହୋଇଥିଲା। ଏହାପରେ ଅଧିନାୟକ ଶୁବମନ ଗିଲ ଇନିଂସ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଇନିଂସ ପରେ ଟିମ ଇଣ୍ଡିଆକୁ ୩୫୨ ରନ୍ର ଅଗ୍ରଣୀ ମିଳିଥିଲା।
ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନରେ ୭୨୦ ରନ କରି ଟିମ ଇଣ୍ଡିଆ ଇତିହାସ ରଚିଛି। ଏହା ବିଦେଶ ମାଟିରେ ଭାରତର ସର୍ୱବୃହତ ଟେଷ୍ଟ ସ୍କୋର ଅଟେ। ଏହା ପୂର୍ୱରୁ ଭାରତ ୨୦୧୦ରେ ଶ୍ରୀଲଙ୍କା ବିପକ୍ଷରେ କଲମ୍ୱୋରେ ୭୦୭ ରନ କରିଥିଲା। ଏବେ ଟିମ ଇଣ୍ଡିଆ ନିଜର ହିଁ ରେକର୍ଡ ଭାଙ୍ଗି ଦେଇଛି।
ନ୍ୟୁଜିଲାଣ୍ଡ ପରିସ୍ଥିତିରେ ବ୍ୟାଟିଂ କରିବା ସହଜ ନୁହେଁ। ଏହି କାରଣରୁ କୌଣସି ଟିମ କେବେ ନ୍ୟୁଜିଲାଣ୍ଡରେ ଗୋଟିଏ ଇନିଂସରେ ୭୦୦ରୁ ଅଧିକ ରନ କରିନଥିଲେ। ନ୍ୟୁଜିଲାଣ୍ଡରେ ଗୋଟିଏ ଇନିଂସରେ ୭୦୦ରୁ ଅଧିକ ରନ କରିଥିବା ପ୍ରଥମ ଭ୍ରମଣକାରୀ ଟିମ ହୋଇଛି ଟିମ ଇଣ୍ଡିଆ। ଏହା ନିଜେ ଏକ ସୱତନ୍ତ୍ର ସଫଳତା। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ବଡ଼ ଟିମ ମଧ୍ୟ ଏଭଳି କରିପାରି ନାହାନ୍ତି।