ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ନିଜ ପ୍ଲେଇଂ-୧୧ରେ ୩ଟି ବଡ଼ ପରିବର୍ତ୍ତନ କରିଛି। ହେଲେ ଏହା ପରେ ମଧ୍ୟ ଦଳର ଅନ୍ୟତମ ଅଭିଜ୍ଞ ବୋଲର ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିନାହିଁ। ସିରିଜର ଚାରିଟି ଯାକ ଦିନିକିଆରେ ସେ ବେଞ୍ଚ୍ରେ ବସି ରହିଛନ୍ତି। ଅଂଶୁଲ କମ୍ବୋଜ ଦଳରୁ ବାଦ ପଡ଼ିବା ପରେ ପ୍ଲେଇଂ-୧୧ରେ ସ୍ଥାନ ଖାଲି ହୋଇଥିଲା। ତଥାପି ଚତୁର୍ଥ ମ୍ୟାଚରେ ଟିମ ମ୍ୟାନେଜମେଣ୍ଟର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ନ୍ୟୁଜିଲାଣ୍ଡ ଗସ୍ତର ଆରମ୍ଭ ଇଣ୍ଡିଆ-ଏ ଦଳ ସହ ଖେଳି କରିଥିଲେ। ସେଠାରେ ତାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା। ହେଲେ ପ୍ରଥମ ଦିନିକିଆରେ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା। ସେହି ମ୍ୟାଚ୍ରେ ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିଥିବାରୁ ପ୍ରଥମ ତିନୋଟି ମ୍ୟାଚରେ ସମାନ ବୋଲିଂ ୟୁନିଟ୍କୁ ନେଇ ଖେଳିଥିଲା ଟିମ ଇଣ୍ଡିଆ।
ଏହାପରେ ଟିମ ମ୍ୟାନେଜମେଣ୍ଟ ଟେଷ୍ଟ ଖେଳୁଥିବା କିଛି ଖେଳାଳିଙ୍କୁ ଶେଷ ଦୁଇଟି ଦିନିକିଆରେ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଥିଲା। ଏହି ତାଲିକାରେ ମହମ୍ମଦ ସିରାଜଙ୍କ ନାଁ ନଥିଲା। ତେଣୁ ଚତୁର୍ଥ ମ୍ୟାଚ୍ରେ ତାଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହି ମ୍ୟାଚରେ ମଧ୍ୟ ତାଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଯଦି ସିରାଜଙ୍କୁ ଖେଳାଇବାର ଯୋଜନା ନଥିଲା, ତେବେ କେଏଲ ରାହୁଲ, ଶୁଭମନ ଗିଲ ଓ ଅଂଶୁଲ କମ୍ବୋଜଙ୍କ ଭଳି ତାଙ୍କୁ ବିଶ୍ରାମ କାହିଁକି ଦିଆଗଲା ନାହିଁ? ଏବେ ଦିନିକିଆ ଦଳରେ ଖେଳିବା ପାଇଁ ସିରାଜଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ।
ଅଂଶୁଲ କମ୍ବୋଜ ଦଳରୁ ବାହାରିବା ପରେ ଅଧିନାୟକ ଶ୍ରେୟସ ଆୟର ଓ ମୁଖ୍ୟ କୋଚ ଗୌତମ ଗମ୍ଭୀର କେବଳ ୩ ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ କମ୍ବୋଜଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ପ୍ଲେଇଂ-୧୧ରେ ସୁଯୋଗ ମିଳିଥିଲା। ହେଲେ କୁଲଦୀପ ଏହି ସୁଯୋଗର ସଦୁପଯୋଗ କରିପାରିନଥିଲେ।
ଏଭଳି ସ୍ଥିତିରେ ସିରିଜର ପଞ୍ଚମ ତଥା ଶେଷ ଦିନିକିଆରେ ମହମ୍ମଦ ସିରାଜଙ୍କୁ ଖେଳିବାର ସୁଯୋଗ ମିଳିପାରେ। ଟେଷ୍ଟ ସିରିଜ ପୂର୍ବରୁ ସିରାଜ ମଧ୍ୟ ଗୋଟିଏ ଦିନିକିଆ ମ୍ୟାଚ ଖେଳିବାକୁ ଚାହିଁବେ। ଅନ୍ୟପଟେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଗୌତମ ଗମ୍ଭୀର ଓ ଶ୍ରେୟସ ଆୟରଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ।
ଭାରତୀୟ ଦଳ: ରୋହିତ ଶର୍ମା, ଋତୁରାଜ ଗାଏକୱାଡ, ବିରାଟ କୋହଲି, ଶ୍ରେୟସ ଆୟର (ଅଧିନାୟକ), ଇଶାନ କିଶନ (ଉଇକେଟ୍କିପର), ଅକ୍ଷର ପଟେଲ, ନମନ ଧୀର, ଆକିବ ନବୀ, କୁଲଦୀପ ଯାଦବ, ଗୁରନୂର ବରାଡ ଓ ଅର୍ଶଦୀପ ସିଂହ।