Categories: Home Leftଖେଳ

ଧୋକା ଦେଲେ ବିରାଟ-ରୋହିତ: ODIରେ ଭାରତକୁ ଦ୍ୱିତୀୟ ସବୁଠୁ ବଡ଼ ପରାଜୟ, ମାତ୍ର ଏତିକି ରନ୍‌ରେ ଅଲଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତୀୟ ଦଳକୁ ୨୪୪ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ୩୩୪ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସିଥିବା ଭାରତୀୟ ଧୁରନ୍ଧର ମାତ୍ର ୮୯ ରନରେ ଅଲଆଉଟ ହୋଇଯାଇଥିଲେ। ଦିନିକିଆ କ୍ରିକେଟରେ ରନ ବ୍ୟବଧାନ ଦୃଷ୍ଟିରୁ ଏହା ଭାରତର ଦ୍ୱିତୀୟ ସବୁଠୁ ବଡ଼ ପରାଜୟ। ବିରାଟ କୋହଲି, ରୋହିତ ଶର୍ମା ଓ ଶ୍ରେୟସ ଆୟରଙ୍କ ଉଇକେଟ୍‌ ଶୂନ୍ୟ ରନରେ ପଡ଼ିବା ପରେ ଟିମ ଇଣ୍ଡିଆର ଉଇକେଟ୍‌ ଲଗାତାର ଖସିବାକୁ ଲାଗିଥିଲା।

ରୋହିତ ଶର୍ମା ଗୋଲ୍ଡେନ ଡକ୍‌ର ଶିକାର ହୋଇଥିଲେ। ସେହି ଓଭରରେ ହିଁ ବିରାଟ କୋହଲି ଏବଂ ଏହାପରେ ଶ୍ରେୟସ ଆୟର ମଧ୍ୟ ଆଉଟ ହୋଇଯାଇଥିଲେ। ଦଳର ସ୍କୋର ଶୂନ୍ୟ ଥିବାବେଳେ ତିନିଟି ଉଇକେଟ୍‌ ଖସିସାରିଥିଲା। ଋତୁରାଜ ଗାଏକ୍ୱାଡଙ୍କୁ ଓପନିଂ କରିବାର ସୁଯୋଗ ମିଳିଥିଲା, କିନ୍ତୁ ସେ ମଧ୍ୟ ମାତ୍ର ୫ ରନ କରି ଆଉଟ ହୋଇଥିଲେ। ଏତେ ଶୀଘ୍ର ଉଇକେଟ୍‌ ପତନ ହୋଇଥିଲା ଯେ, ଦଳର ସ୍କୋର ୯ ରନରେ ପହଞ୍ଚିବା ବେଳକୁ ୪ଟି ଉଇକେଟ୍‌ ଖସିସାରିଥିଲା।

ମ୍ୟାଟ ହେନରୀଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟରମାନେ ତିଷ୍ଠି ପାରିନଥିଲେ। ସେ ଏହି ମ୍ୟାଚରେ ୫ଟି ଉଇକେଟ୍‌ ନେଇଥିଲେ। ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡ ଭାରତକୁ ୨୪୪ ରନ୍ରେ ପରାସ୍ତ କରିଥିଲା। ଦିନିକିଆ କ୍ରିକେଟ ଇତିହାସରେ ରନ ବ୍ୟବଧାନ ଦୃଷ୍ଟିରୁ ଏହା ଭାରତର ଦ୍ୱିତୀୟ ସବୁଠୁ ବଡ଼ ପରାଜୟ।

ରନ ବ୍ୟବଧାନ ଦୃଷ୍ଟିରୁ ଭାରତର ସବୁଠୁ ବଡ଼ ପରାଜୟ ୨୪୫ ରନର ଥିଲା। ୨୦୦୦ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଏହି ପରାଜୟର ସାମ୍ନା କରିଥିଲା। ଏହାପରେ ୨୦୧୫ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୧୪ ରନ୍ରେ ପରାସ୍ତ ହୋଇଥିଲା ଟିମ ଇଣ୍ଡିଆ। କିନ୍ତୁ ଏବେ ୨୪୪ ରନ୍ରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଏହି ତାଲିକାରେ ଦ୍ୱିତୀୟ ସ୍ଥାନକୁ ଆସିଛି।

ରନ ବ୍ୟବଧାନ ଦୃଷ୍ଟିରୁ ଦିନିକିଆରେ ଭାରତର ସବୁଠୁ ବଡ଼ ପରାଜୟ:

୨୪୫ ରନ: ଶ୍ରୀଲଙ୍କା ବିପକ୍ଷରେ (୨୦୦୦)
୨୪୪ ରନ: ନ୍ୟୁଜିଲାଣ୍ଡ ବିପକ୍ଷରେ (୨୦୨୬)
୨୧୪ ରନ: ଦକ୍ଷିଣ ଆଫ୍ରିକା ବିପକ୍ଷରେ (୨୦୧୫)

 

Dharitri – Odisha’s No.1 Odia Daily

Share