ବଦଳିଗଲା ସବୁ ନିୟମ: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ ମିନିଟରେ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ଷା ଯୋଗୁ ନିର୍ଦ୍ଧାରିତ ସମୟରେ ଟସ୍‌ ହୋଇପାରିନଥିଲା। ଏପରିକି ମ୍ୟାଚ ଆରମ୍ଭ ହେବାରେ ମଧ୍ୟ ବିଳମ୍ବ ହୋଇଥିଲା। ବର୍ଷା ଛାଡ଼ିବା ପରେ ଭାରତୀୟ ସମୟ ଅନୁସାରେ ସକାଳ ୯ଟା ୨ ମିନିଟରେ ଟସ୍‌ ଏବଂ ୯ଟା ୩୦ ମିନିଟରେ ମ୍ୟାଚ ଆରମ୍ଭ କରିବାକୁ ସ୍ଥିର ହୋଇଥିଲା। ହେଲେ ପୁଣିଥରେ ବର୍ଷା ହେବାରୁ ୯ଟା ୩୦ରେ ମଧ୍ୟ ଖେଳ ଆରମ୍ଭ ହୋଇପାରିନଥିଲା। ବର୍ଷା ଯୋଗୁ ହୋଇଥିବା ବିଳମ୍ବକୁ ଦୃଷ୍ଟିରେ ରଖି ମ୍ୟାଚର ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ସୂଚନାଯୋଗ୍ୟ, ତୃତୀୟ ଦିନିକିଆ ମ୍ୟାଚ ହାମିଲଟନର ସେଡନ ପାର୍କରେ ଖେଳାଯାଉଛି। ମଙ୍ଗଳବାର ହାମିଲଟନରେ ଦିନସାରା ଏବଂ ରାତିରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ମ୍ୟାଚର ଫଳାଫଳ ଆସିବା ପାଇଁ ଉଭୟ ଦଳକୁ ସର୍ବନିମ୍ନ ୨୦-୨୦ ଓଭର ବ୍ୟାଟିଂ କରିବାକୁ ପଡ଼ିବ। ତେବେ ତା’ ପୂର୍ବରୁ ବଦଳିଥିବା ନିୟମ ଉପରେ ନଜର ପକାନ୍ତୁ। କାରଣ ଏବେ ମ୍ୟାଚ ୫୦ ଓଭର ବଦଳରେ ୪୦-୪୦ ଓଭର ବିଶିଷ୍ଟ ହେବ।

୪୦ ଓଭରର ଇନିଂସ ବର୍ଷା ଯୋଗୁ ପ୍ରାୟ ୨ ଘଣ୍ଟା ସମୟ ନଷ୍ଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ଉଭୟ ଦଳ ୪୦-୪୦ ଓଭର ବ୍ୟାଟିଂ କରିବେ। ପୂର୍ବରୁ ମ୍ୟାଚରେ ମୋଟ ୧୦୦ ଓଭର ଖେଳାଯିବାର ଥିବାବେଳେ ଏବେ ମାତ୍ର ୮୦ ଓଭର ଖେଳାଯିବ।

ଜଣେ ବୋଲର ସର୍ବାଧିକ ୮ ଓଭର ବୋଲିଂ କରିପାରିବେ ସାଧାରଣ ଦିନିକିଆ ମ୍ୟାଚରେ ଜଣେ ବୋଲର ସର୍ବାଧିକ ୧୦ ଓଭର ବୋଲିଂ କରିପାରିଥାନ୍ତି। କିନ୍ତୁ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆରେ ଏବେ ଜଣେ ବୋଲର ସର୍ବାଧିକ ୮ ଓଭର ବୋଲିଂ କରିପାରିବେ।

ପାୱାରପ୍ଲେ ଅବଧି ହ୍ରାସ ସାଧାରଣତଃ ପ୍ରଥମ ଓ ତୃତୀୟ ପାୱାରପ୍ଲେ ୧୦ ଓଭର ଲେଖାଏଁ ହୋଇଥାଏ। କିନ୍ତୁ ନୂଆ ନିୟମ ଅନୁସାରେ ପ୍ରଥମ ପାୱାରପ୍ଲେ ୧ରୁ ୮ ଓଭର ପର୍ଯ୍ୟନ୍ତ ରହିବ। ସେହିପରି ତୃତୀୟ ପାୱାରପ୍ଲେ ୩୩ରୁ ୪୦ ଓଭର ପର୍ଯ୍ୟନ୍ତ ରହିବ।

ହାମିଲଟନରେ ବର୍ଷା ଲାଗି ରହିବା ସହ ମଝିରେ ମଝିରେ ଛାଡ଼ୁଛି। ତେଣୁ ମ୍ୟାଚ ଆରମ୍ଭ ହେବା ପରେ ମଧ୍ୟ ପୁଣିଥରେ ବର୍ଷା ଖେଳରେ ବାଧା ସୃଷ୍ଟି କରିପାରେ। ଯଦି ପୁଣି ବର୍ଷା ହୁଏ, ତେବେ ମ୍ୟାଚର ନିୟମରେ ଆଉଥରେ ପରିବର୍ତ୍ତନ କରାଯାଇପାରେ।

ଏଠାରେ ଧ୍ୟାନ ଦେବାର କଥା ହେଉଛି, ଦିନିକିଆ ମ୍ୟାଚର ଫଳାଫଳ ନିର୍ଣ୍ଣୟ ପାଇଁ ଉଭୟ ଦଳ ସର୍ବନିମ୍ନ ୨୦-୨୦ ଓଭର ଖେଳିବା ଜରୁରୀ। ଯଦି ତୃତୀୟ ଦିନିକିଆରେ ଏତିକି ଓଭର ଖେଳ ସମ୍ଭବ ନହୁଏ, ତେବେ ମ୍ୟାଚକୁ ବାତିଲ ଘୋଷଣା କରାଯିବ।

Dharitri – Odisha’s No.1 Odia Daily

Share