ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟରେ ଅଧିନାୟକ ଶୁଭମନ ଗିଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ ପ୍ରମାଣିତ ହୋଇଥିଲା। ଭାରତୀୟ ଦ୍ରୁତ ବୋଲରମାନେ ନିଜର ଦମ୍ଦାର ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ନ୍ୟୁଜିଲାଣ୍ଡର ଅଧା ଟିମ ମାତ୍ର ୭୦ ରନରେ ପ୍ୟାଭିଲିୟନ ଫେରିଯାଇଥିଲା।
ତେବେ ମ୍ୟାଚ ମଧ୍ୟରେ ଏକ ବଡ଼ ଘଟଣା ଦେଖିବାକୁ ମିଳିଥିଲା। ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ଅଧିନାୟକ ଶୁଭମନ ଗିଲ। ଅମ୍ପାୟାରଙ୍କ ଏକ ନିଷ୍ପତ୍ତିରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତୁ ଜାଣିବା ପୂରା ଘଟଣା।
ଇନିଂସର ୩୧ତମ ଓଭରରେ ଯଶପ୍ରୀତ ବୁମ୍ରାଙ୍କ ଏକ ଦ୍ରୁତ ବଲ ଭିତରକୁ ଆସି ସିଧାସଳଖ ଗ୍ଲେନ ଫିଲିପ୍ସଙ୍କ ପ୍ୟାଡ୍ରେ ବାଜିଥିଲା। ଏହାପରେ ଭାରତୀୟ ଖେଳାଳିମାନେ ଜୋରଦାର ଅପିଲ କରିଥିଲେ। କିନ୍ତୁ ଅମ୍ପାୟାର ତାଙ୍କୁ ନଟଆଉଟ ଘୋଷଣା କରିଥିଲେ।
ଏହାପରେ ଅଧିନାୟକ ଶୁଭମନ ଗିଲ ଓ ବୁମ୍ରାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଗିଲଙ୍କ ମତରେ ବଲଟି ବ୍ୟାଟରେ ବାଜିନଥିଲା। ଅନ୍ୟପକ୍ଷରେ ବୁମ୍ରାଙ୍କୁ ସନ୍ଦେହ ଥିଲା ଯେ ବଲ୍ଟି ଷ୍ଟମ୍ପ ଉପର ଦେଇ ଚାଲିଯାଇପାରେ। ତେବେ କିଛି ସମୟ ପରେ ଗିଲ ଡିଆର୍ଏସ ନେଇଥିଲେ।
ଅମ୍ପାୟାରମାନେ ପୂରା ଘଟଣାର ସମୀକ୍ଷା କରିଥିଲେ। ଫ୍ରଣ୍ଟ-ଅନ କ୍ୟାମେରାର ଭିଡିଓରେ ବ୍ୟାଟରେ ଏଜ ସ୍ପଷ୍ଟ ଦେଖାଯାଇନଥିଲା। ତେବେ ବଲଟି ବ୍ୟାଟର ନିକଟତର ହେବା ସମୟରେ ସ୍ପାଇକ ଦେଖାଯାଇଥିଲା। ଥାର୍ଡ ଅମ୍ପାୟାର ପଲ ରିଫେଲ ବିଭିନ୍ନ କୋଣରୁ ଏଲ୍ବିଡବ୍ଲ୍ୟୁ ଘଟଣାର ସମୀକ୍ଷା କରିଥିଲେ। ଅମ୍ପାୟାରଙ୍କୁ ବଲର ଦିଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଭଳି ଲାଗିଥିଲା। ଏହି କାରଣରୁ ପୂର୍ବରୁ ଦିଆଯାଇଥିବା ନଟଆଉଟ ନିଷ୍ପତ୍ତିକୁ ବଜାୟ ରଖାଯାଇଥିଲା।
ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ଗିଲ ଆଦୌ ଖୁସି ନଥିବା ଦେଖାଯାଇଥିଲେ। ତାଙ୍କ କହିବା ଅନୁଯାୟୀ, ବଲଟିି ସିଧାସଳଖ ପ୍ୟାଡରେ ବାଜିଥିଲା ଏବଂ ବ୍ୟାଟ ଓ ବଲ ମଧ୍ୟରେ ଫାଙ୍କା ସ୍ଥାନ ଥିଲା। ସେ ତୁରନ୍ତ ଅମ୍ପାୟାରଙ୍କ ନିକଟରେ ନିଜର ଅସନ୍ତୋଷ ଜଣାଇଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲା। ବୁମ୍ରା ମଧ୍ୟ ସାମାନ୍ୟ ରାଗିଯାଇଥିବା ନଜର ଆସିଥିଲେ।
ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହୋଇଥିବାରୁ ଗିଲ କିଛି ସମୟ ପରେ ସେଠାରୁ ଚାଲିଯାଇଥିଲେ। ଏହି ଘଟଣାରେ ଭାରତୀୟ ଦଳ ନିଜର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରିଭ୍ୟୁ ମଧ୍ୟ ହରାଇଥିଲା। ଏବେ ସୋସିଆଲ ମିଡିଆରେ ଗିଲ ଓ ଅମ୍ପାୟାରଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କର ଭିଡିଓ ଖୁବ ଭାଇରାଲ ହେଉଛି। ଅନେକ ଲୋକଙ୍କ ମତରେ ଭାରତ ସହ ଅନ୍ୟାୟ ହୋଇଛି।