ବଢୁଛି ଅଲ୍‌ଟ୍ରାଭାଓଲେଟ୍‌ ବିପଦ; ଦିନ ୧୨ରୁ ୨ ଯାଏ ପଦାକୁ ଯିବାକୁ ମନା

ଭୁବନେଶ୍ୱର,୨୬ା୪(ବ୍ୟୁରୋ)- କିଛି ଦିନ ହେବ ତତଲା ତାଓ୍ବାରେ ସିଝୁଛି ସାରା ଓଡ଼ିଶା। ପରିବେଶ ପ୍ରଦୂଷଣ ଏବଂ ସବୁଜ ବଳୟ ନଷ୍ଟ ଗ୍ରୀଷ୍ମର ପ୍ରକୋପକୁ ଆହୁରି ବଢ଼ାଇ ଦେଇଛି। ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା ଅଲଟ୍ରାଭାଓଲେଟ ରଶ୍ମି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଛି। ପରିବେଶ ନଷ୍ଟ ହେବା ଯୋଗୁ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ପିୟରରେ ଥିବା ଓଜୋନ ସ୍ତର ଦୁର୍ବଳ ହେବାରେ ଲାଗିଛି। ସୂର୍ଯ୍ୟଙ୍କଠାରୁ ଆସୁଥିବା ୦.୪ ମାଇକ୍ରନ ଅଲଟ୍ରାଭାଓଲେଟ ରଶ୍ମି ଷ୍ଟ୍ରାଟୋସ୍ପିୟରରେ ଥିବା ଓଜୋନ ସ୍ତରକୁ ଭେଦ କରି ମଧ୍ୟାହ୍ନରେ ଭୂପୃଷ୍ଠକୁ ଆସୁଛି। ବିଶେଷକରି ମଧ୍ୟାହ୍ନ ସମୟରେ ଏହା ମାରାତ୍ମକ ହୋଇଥାଏ। ଏହି ସମୟରେ ସେହି ରଶ୍ମି ଦେହରେ ପଡ଼ିଲେ ଚର୍ମ କର୍କଟ ହେବା ସହ ବିଭିନ୍ନ ଚର୍ମ ରୋଗ ହେବାର ଆଶଙ୍କା ରହିଛି। ଦିନ ୧୨ଟାରୁ ୨ଟା ମଧ୍ୟରେ ପଦାରେ ନ ବୁଲିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏପ୍ରିଲରୁ ଜୁନ୍‌ ମଧ୍ୟରେ ଅଲଟ୍ରାଭାଓଲେଟ ରଶ୍ମି ଭୂପୃଷ୍ଠକୁ ଆସିଥାଏ। ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।