‘୫୦% ପିଲାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି’

ଭୁବନେଶ୍ୱର, ୧୮।୮(ବ୍ୟୁରୋ):ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ମଙ୍ଗଳବାର ‘କୋଭିଡର ତୃତୀୟ ଲହର ଓ ପିଲାଙ୍କ ଉପରେ ଏହାର ପ୍ରଭାବ’କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ସାବତୀ ପ୍ରଧାନ କୋଭିଡରୁ ପିଲାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଆଲୋଚନା ସହାୟକ ହେବ ବୋଲି ମତ ରଖିଥିଲେ। ଆଲୋଚନାରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ତୃତୀୟ ଲହରକୁ ନେଇ ତଥ୍ୟ ଓ ଭ୍ରମ ଉପରେ ଆଲୋକପାତ କରି ସେ କହିଲେ, ନିକଟରେ ରାଜ୍ୟରେ କରାଯାଇଥିବା ସେରୋ ସର୍ଭେ ଅନୁସାରେ ପଚାଶ ପ୍ରତିଶତ ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥିବା ସୂଚନା ମିଳିଛି। ଆଗାମୀ ଦିନରେ ୧୫ଟି ଜିଲାରେ ୬ ବର୍ଷରୁ ଅଧିକ ପିଲାଙ୍କ ସେରୋ ସର୍ଭେ କରାଯିବ। କୋଭିଡ୍‌ ଅନୁକୂଳ ବ୍ୟବହାର, ଲକ୍ଷଣ ଆଧାରିତ ନିରୀକ୍ଷଣ, ମା’ ଓ ଶିଶୁଙ୍କ ସ୍ବତନ୍ତ୍ର ସେରୋ ସର୍ଭେ ଉପରେ ଗୁରୁତ୍ୱ ଦିଆଯିବା ଉପରେ ସେ ମତ ରଖିଥିଲେ। ୱାଲର୍ଡ ଭିଜନର ଆଡଭୋକେଶୀ ମୁଖ୍ୟ ମିଖାଇଲ ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଟିକାକରଣ ଓ ପିଲାଙ୍କ ସହ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଲୋଚନାରେ ଜିଲା ପ୍ରଶାସନର ଅଧିକାରୀ, କୋଭିଡ୍‌ ନୋଡାଲ ଅଫିସର, ବିପର୍ଯ୍ୟୟ ପ୍ରଶମନ ଅଧିକାରୀ, ଜିଲା ସ୍ବାସ୍ଥ୍ୟ ଅଧିକାରୀ ଯୋଗଦେଇ ଜିଲାର ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ। ତୃଣମୂଳ ସ୍ତରରେ କର୍ମଚାରୀଙ୍କ ତାଲିମ, ଚିକିତ୍ସାଳୟରେ ପିଲାଙ୍କ ପାଇଁ ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା ସୂଚନା ଦେଇଥିଲେ। ଆଲୋଚନା ଚକ୍ରକୁ ଆକ୍ସନଏଡ୍‌ର କାର୍ଯ୍ୟକ୍ରମ ପ୍ରବନ୍ଧକ ଘାସିରାମ ପଣ୍ଡା ପରିଚାଳନା କରିଥିଲେ। ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ ଧନ୍ୟବାଦ ଦେଇଥିଲେ।