ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଇନସିଦ୍ଧ ନୁହେଁ: କଂଗ୍ରେସ

ଭୁବନେଶ୍ୱର, ୨୬ା୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଇନସିଦ୍ଧ ନୁହେଁ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି। ଏହି ବର୍ଦ୍ଧିତ କର ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ-୨୦୦୩ର ନିୟମ ବିରୁଦ୍ଧାଚରଣ କରିବା ସହିତ ଧାରା ୬୯୪ (୩)କୁ ବିଏମ୍‌ସି ଜୋର ଜବରଦସ୍ତି ଲାଗୁ କରିପାରିବ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି।
ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ଖବରଦାତା ସମ୍ମିଳନୀ କରି କହିଛନ୍ତି, କଂଗ୍ରେସ ଏହି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିଆସିଛି। ତେଣୁ ବିଏମ୍‌ସି ଯେଉଁ ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଜନସାଧାରଣଙ୍କଠାରୁ ଆଦାୟ କରିଛନ୍ତି ତାହା ଜନସାଧାରଣଙ୍କୁ ଶୀଘ୍ର ଫେରସ୍ତ କରାଯାଉ। ଲୋକମାନଙ୍କଠାରୁ ସ୍ବତଃପ୍ରବୃତ ଭାବେ ଅନ୍‌ଲାଇନ ମାଧ୍ୟମରେ ୨୨ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି ବୋଲି ବିଏମ୍‌ସି କମିଶନର ଏବଂ ଡେପୁଟି କମିଶନର ସ୍ବୀକାର କରିଛନ୍ତି। ତେଣୁ ଏହାକୁ ଶୀଘ୍ର ଫେରସ୍ତ କରାଯାଉ। ଅନ୍ୟପକ୍ଷରେ ବିଏମ୍‌ସି ଯେଉଁ ୟୁଜର୍ସ ଫି ଆଦାୟ କରୁଛି, ତାହା ମଧ୍ୟ ଆଇନ ସମ୍ମତ ନୁହେଁ। ତେଣୁ ଯଥାଶୀଘ୍ର ଏହି ୟୁଜର୍ସ ଫି ଆଦାୟ ବନ୍ଦ କରାଯାଉ। ନଚେତ୍‌ ଆଗାମୀ ଦିନରେ ଏନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପଞ୍ଚାନନ କହିଛନ୍ତି।