ଅମଳ କମିବ, ଆୟ ପ୍ରଭାବିତ ହେବ

ରସୁଲପୁର,୬ା୧୨(ଡି.ଏନ.ଏ.): ବାତ୍ୟା ଜଓ୍ବାଦ ବିପଦ ଟଳିଥିବାରୁ ରସୁଲପୁର ବ୍ଲକ ଅଞ୍ଚଳରେ ପବନ ବେଗ କମ ପରିଲକ୍ଷିତ ହୋଇଛି। ଫଳରେ ମଞ୍ଚା ଜାତୀୟ ଫସଲ ବିଶେଷକରି ପାନବରଜ ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି। ହେଲେ ପରିବା ଫସଲ କିଆରିରେ ବର୍ଷା ଜଳ ଲହଡ଼ି ମାରୁଛି। ଅଦିନିଆ ବର୍ଷା ଯୋଗୁ ରବି ଋତୁର ଶୀତଦିନିଆ ଫସଲରେ ବ୍ୟାପକ କ୍ଷତି ପହଞ୍ଚତ୍ବ ବୋଲି କୁହାଯାଉଛି। ଏହି ବର୍ଷା ଚାଷୀଙ୍କ ଆୟକୁ ପ୍ରଭାବିତ କରିବ ବୋଲି ଚାଷୀ ଶିଶିର ରାଉତ ମତ ରଖିଛନ୍ତି।

ରବି ଋତୁରେ ଚିନାବାଦାମ, ବିରି, କୋଳଥ, ହରଡ, କୋବି, ବାଇଗଣ, ଭେଣ୍ଡି, କଲରା, କାକୁଡି, ଆଳୁ, ଝୁଡଙ୍ଗ, ବିନ୍ସ ଆଦି ଫସଲକୁ ଚାଷୀ ଗୁରୁତ୍ୱ ଦେଇ ଚାଷ କରୁଛନ୍ତି। ଅକ୍ଟୋବର ଓ ନଭେମ୍ବର ରବି ଫସଲର ବୁଣାବୁଣି ହୋଇଥାଏ। ହେଲେ ଚଳିତବର୍ଷ ନଭେମ୍ବର ଶେଷ ସପ୍ତାହ ଓ ଡିସେମ୍ବର ପ୍ରଥମ ସପ୍ତାହରେ ବର୍ଷା ହେବାରୁ ବୁଣାବୁଣି ବାଧାପ୍ରାପ୍ତ ହୋଇଛି। ଯାହାକିଛି ବୁଣାଯାଇଛି ସେଥିରୁ ଅଧିକାଂଶ ବିହନ ପଚିଯିବ ବୋଲି ଆଶଙ୍କା କରାଯାଉଛି। ବାଦାମ ବିହନ, ପୋଟଳ ଚେର ଆଦି ପଚି ଯିବ ବୋଲି କୁହାଯାଉଛି। ବିହନ ବୁଣିବାକୁ ବାକି ଥିବା କ୍ଷେତର ଆର୍ଦ୍ରତା ଯୋଗୁ ଚାଷ ବିଳମ୍ବ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଏଭଳି ହେଲେ ଉପତ୍ାଦନ କମିଯିବା ସମ୍ଭାବନା ରହିଛି। ତେବେ ପରିବା କ୍ଷେତରେ ବର୍ଷାପାଣି ଲହଡି ମାରୁଥିବାରୁ ବିଶେଷ କ୍ଷତି ପହଞ୍ଚତ୍ବ। ବର୍ଷା ଜନିତ ସର୍ତକତା ସ୍ବରୂପ ଚାଷୀ ପରିବାଗୁଡିକୁ ଆଗୁଆ ତୋଳି କ୍ଷତି ସହିଛନ୍ତି। ବର୍ଷା ପରେ ଫସଲରେ ଝାଉଁଳା, ପତ୍ରଝଡ଼ା, ମୂଳଶଢ଼ା ରୋଗ ଦେଖାହେବ। ପରିବା ଗଛରେ ଧରିଥିବା ଫୁଲ, କଷି ଝଡ଼ିଯିବ। ପରିବାକ୍ଷେତକୁ ପୁରୁଣା ସ୍ଥିତିକୁ ଫେରାଇ ଆଣିବାକୁ ହେଲେ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ।

ଏହାସତ୍ତ୍ୱେ ବି ଚାଷୀ ସଅଳ ଅମଳ କରିବା ଲକ୍ଷ୍ୟ ବାଧାପ୍ରାପ୍ତ ହେବ। ରବି ଫସଲରେ ଲାଭବାନ ହେବା ନେଇ ଚାଷୀ ରଖିଥିବା ଆଶା ମଉଳି ଯାଇଛି। ସେହିପରି ଆଳୁଚାଷୀ ସରକାରୀ ବିହନ ନେଇ ଗଜା କରିଛନ୍ତି। ଦିନେ ଦୁଇଦିନରେ ଆଳୁ ବିହନ ଲଗାଯାଇଥାନ୍ତା। ତାହା ଏବେ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି। ବର୍ଷା ଯୋଗୁ ଆଳୁଚାଷ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ଆଳୁ ଉପତ୍ାଦନ କମିଯିବ ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଉଛି। ତେଣୁ ଲଘୁଚାପ ଜନିତ କ୍ଷୟକ୍ଷତିକୁ ତୁରନ୍ତ ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀ ଦାବି କରିଛନ୍ତି।