ସତ୍ନା,୨୮।୭ (ପି.ଟି.):ମଧ୍ୟପ୍ରଦେଶର ସତ୍ନା ଜିଲାର କୋଠି ତହସିଲ ଅନ୍ତର୍ଗତ ନାଓଗଁା ନିବାସୀ ରାମସ୍ବରୂପ (୪୫) ନାମକ ଜଣେ କୃଷକଙ୍କର ଆୟ ପ୍ରମାଣପତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରମାଣପତ୍ରରେ ରାମସ୍ବରୂପଙ୍କ ବାର୍ଷିକ ଆୟ ମାତ୍ର ୩ ଟଙ୍କା ହୋଇଥିବା ଲେଖାହୋଇଛି। ଗତ ଜୁଲାଇ ୨୨ରେ ଜାରି କରାଯାଇଥିବା ଉକ୍ତ ଆୟ ପ୍ରମାଣପତ୍ରରେ କୋଠି ତହସିଲଦାର ସୌରଭ ଦ୍ୱିବେଦୀଙ୍କ ଦସ୍ତଖତ ରହିଛି। କଂଗ୍ରେସର ମଧ୍ୟପ୍ରଦେଶ ୟୁନିଟ୍ ପକ୍ଷରୁ ଏହି ପ୍ରମାଣପତ୍ରର ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରାଯାଇ ରାଜ୍ୟର ଭାଜପା ସରକାରଙ୍କୁ ଟାର୍ଗେଟ କରାଯାଇଛି। କ୍ୟାପ୍ଶନ୍ରେ କଂଗ୍ରେସ ପକ୍ଷରୁ ଲେଖାଯାଇଛି, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଶାସନରେ ଭାରତର ସବୁଠାରୁ ଗରିବ ବ୍ୟକ୍ତି ମଧ୍ୟପ୍ରଦେଶରେ ରହୁଛନ୍ତି। ଏହା ତାଙ୍କ ଆୟ ପ୍ରମାଣପତ୍ର। ତାଙ୍କର ବାର୍ଷିକ ଆୟ ମାତ୍ର ୩ ଟଙ୍କା। ସେହିପରି ମାସିକ ଆୟ ମାତ୍ର ୨୫ ପଇସା ଏବଂ ଦିନକର ଆୟ ୧ ପଇସାରୁ ମଧ୍ୟ କମ୍। ସୋସିଆଲ ମିଡିଆରେ କଂଗ୍ରେସର ଉକ୍ତ ପୋଷ୍ଟ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଇନ୍କମ୍ ସାର୍ଟିଫିକେଟ ଭାରତର ସବୁଠାରୁ ଗରିବ ବ୍ୟକ୍ତିଙ୍କୁ ଲୋକଲୋଚନକୁ ଆଣିଥିବା ନେଇ କେତେଜଣ ୟୁଜର୍ସ କହିଛନ୍ତି। କଂଗ୍ରେସର ଉକ୍ତ ପୋଷ୍ଟ ଭାଇରାଲ ହେବା ପରେ ଆୟ ପ୍ରମାଣପତ୍ର ଜାରି କରିଥିବା ତହସିଲଦାର ଦ୍ୱିବେଦୀ ନିଜ ସଫେଇରେ କହିଛନ୍ତି, ଏହା ଏକ ଟାଇପିଂଗତ ଭୁଲ୍ ଥିଲା। କିରାଣୀଙ୍କ ଦ୍ୱାରା ତ୍ରୁଟି ଯୋଗୁ ଏପରି ହୋଇଥିଲା। ଏବେ ଉକ୍ତ ତ୍ରୁଟିକୁ ସଂଶୋଧନ କରାଯାଇଛି। ତ୍ରୁଟି ସମ୍ପର୍କରେ ଜଣାପଡ଼ିବା ପରେ ଗତ ୨୫ ତାରିଖରେ ରାମସ୍ବରୂପଙ୍କ ପାଇଁ ଏକ ନୂତନ ଆୟ ପ୍ରମାଣପତ୍ର ଜାରି କରାଯାଇଥିଲା। ରାମସ୍ବରୂପଙ୍କ ବାର୍ଷିକ ଆୟ ୩ ଟଙ୍କା ନୁହେଁ ବରଂ ୩୦ ହଜାର ଟଙ୍କା ବୋଲି ତହସିଲଦାର କହିଛନ୍ତି। ତାଙ୍କର ମାସିକ ଆୟ ୨,୫୦୦ ଟଙ୍କା ହୋଇଥିବା ସେ କହିଛନ୍ତି।


