ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ ଗୁରୁତ୍ୱ ଦେଉଛନ୍ତି। ଅନ୍ୟଦଳର ନେତା ଓ କର୍ମୀଙ୍କୁ ଦଳରେ ମିଶାଇ ନେବା ସହ ଗାଁଠୁ ସହର ଯାଏ ସଂଗଠନକୁ ମଜଭୂତ କରି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦଖଲ କରିବାକୁ ସମସ୍ତ ନେତାଙ୍କୁ ନିର୍ଦ୍ଦେଶ ଦେବାରେ ଲାଗିଛନ୍ତି । ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତାହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି । ଦଳୀୟ କର୍ମୀଙ୍କ ମଧ୍ୟରେ ଫଳକ ଭଙ୍ଗାରୁଜା ଘଟଣା ଦାଣ୍ଡରେ ପଡିଛି । ବିଧାୟକ ଓ ଏମ୍ପି୍ଙ୍କ ମଧ୍ୟରେ ଏକପ୍ରକାର ଶିତଳ ଯୁଦ୍ଧ ଚାଲିଥିବାର ଜଣାପଡିଛି। ଭୂତସରସିଙ୍ଗି ଠାରୁ ବୁଢାଆମ୍ବ ପର୍ଯ୍ୟନ୍ତ ପୂର୍ତ୍ତବିଭାଗୀୟ ରାସ୍ତାର ସଂପ୍ରସାରଣ ଓ ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ ୧୭ କୋଟି ଟଙ୍କାର ଅନୁଦାନ ଆସିଛି । ଏହାକୁ ଶିଳାନ୍ୟାସ କରି କାର୍ଯ୍ୟର ଶୁଭାରମ୍ଭ ଲାଗି ଭୂତସରସିଙ୍ଗି ଠାରେ ଶିଳାନ୍ୟାସ ଫଳକ ଲଗାଯାଇଥିଲା । ଯାହାକି କୁଆଡେ ମଙ୍ଗଳବାର କବିସୂର୍ଯ୍ୟନଗର ବିଧାୟକ ଶିଳାନ୍ୟାସ କରିଥାନ୍ତେ। ହେଲେ ଏହି ଫଳକରେ ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କ ନାମ ରହିଥିବା ବେଳେ ଏମ୍ପି ଅନିତାଶୁଭଦର୍ଶନୀଙ୍କ ନାମନଥିଲା । ଏହାକୁ ଦେଖି ଏମପିଙ୍କ ସମର୍ଥକ ଓ ଦଳୀୟକର୍ମୀମାନେ ରାଗିଯାଇ ଫଳକକୁ ଭାଙ୍ଗି ଚୁରମାର କରିଦେଇଛନ୍ତି । ସେହିପରି କବିସୂର୍ଯ୍ୟନଗର ବ୍ଲକର ଗୁଡିଆଳି ଠାରୁ ପୁରୁଷୋତ୍ତମପୁର ବ୍ଲକର ଟଙ୍କାଛାଇ ରାସ୍ତା ନିର୍ମାଣ ଲାଗି ହୋଇଥିବା ଫଳକକୁ ଭାଙ୍ଗିଦେଇଛନ୍ତି । ଫଳରେ ଏହାର ଶିଳାନ୍ୟାସହୋଇପାରିନାହିଁ ପୂର୍ତ୍ତବିଭାଗ କାହା କଥାରେ ପଡି ଏପରି ଏମ୍ପିଙ୍କ ନାମଲେଖିନାହିଁ ବୋଲି ଦଳୀୟ କର୍ମୀମାନେ ପ୍ରଶ୍ନକରିବା ସହ ତୀବ୍ର ସମାଲୋଚନା କରିଛନ୍ତି । ଏହାକୁ ନେଇ ପୂର୍ତ୍ତବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୋନିଆ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଫଳକ ଲାଗାଇବା କି ଶୁଭଦେବାର କାର୍ଯ୍ୟକ୍ରମ ରହିଥିବା ଘଟଣା ସମ୍ପର୍କରେ ସେ ଜାଣିନାହାନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ହୋଇନାହିଁ । କେହି ବ୍ୟକ୍ତି ଏପରି ଫଳକ ଲଗାଇଥିବ, କ’ଣ ହୋଇଛି ସେଥିନେଇ ସେ କିଛି ଜାଣିନଥିବାର କହିଛନ୍ତି ।ହେଲେ ଏଥିରୁ ପ୍ରଶ୍ନ ଉଠୁଛି ଯେ କିଏ କାହିଁକି ଟେଣ୍ଟ ପକାଇ, ପେଣ୍ଡେଲ ସଜାଇ ଏପରି ଫଳକ ଲଗାଇବ । କାହାର କ’ଣ? ତାହା ଏବେ ସନ୍ଦେହ ଘେରରେ ରହିଛି । ବିଧାୟକ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳକୁ ଆସିନାହାନ୍ତି । ବିଧାୟକ ଏମ୍ପିଙ୍କ ମଧ୍ୟରେ ମତାନ୍ତର କରିବାଲାଗି କେହ ଏପରି କରିଛି ନା ପୂର୍ତ୍ତବିଭାଗ ଜାଣତରେ ଏପରି ହୋଇଛି ତାହା ସ୍ପଷ୍ଟ ହୋଇନି। ଭାଜପାରେ ଏହି ଘଟଣାକୁ ନେଇ ବିରୋଧିଦଳ ପକ୍ଷରୁ ସମାଲୋଚନା କରାଯାଇଛି । ତେବେ ଘଟଣାକୁ ନେଇ ବିଧାୟକ ଓ ଏମ୍ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।