ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ (MBS) ଯୋଜନାରେ ଚାଲୁଥିବା ଏକ ସରକାରୀ ଯାତ୍ରୀବାହୀ ବସ୍କୁ ବେଆଇନ ଭାବେ ଅଟକାଇ ଚାଳକଙ୍କୁ ଧମକ ଚମକ ଦେବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାମଲା ରୁଜୁ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ବସ୍ ସେବାର ଏକ ଯାତ୍ରୀବାହୀ ବସ୍ ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମକୁ ଯାଇଥିଲା। ଗ୍ରାମର ମୁଖ୍ୟରାସ୍ତା ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ବସ୍ଟି ପହଞ୍ଚିବା ପରେ ସ୍ଥାନୀୟ ଯୁବକ କାହ୍ନା ନାୟକ ଉକ୍ତ ଗାଡ଼ିକୁ ଅଟକାଇଥିଲେ। କାହ୍ନାଙ୍କ ଅଭିଯୋଗ ଥିଲା ଯେ ବସ୍ଟି ତାଙ୍କର ନିର୍ଦ୍ଧାରିତ ସ୍ଥାନରେ ଅଟକି ନ ଥିଲା। ଏହି ସାମାନ୍ୟ କଥାକୁ ନେଇ କାହ୍ନା ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ହାତରେ ଏକ ଠେଙ୍ଗା ଧରି ବସ୍ ଆଗକୁ ଆସିଥିଲେ ଏବଂ ବେଆଇନ ଭାବେ ଗାଡ଼ିକୁ ଅଟକ ରଖି ଆଙ୍କୋରଡ଼ା ଗ୍ରାମର ବସ୍ ଚାଳକ ବାବାଜୀ ସେଠୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଭୟଭୀତ କରିଥିଲେ।
ଅଭିଯୁକ୍ତ ଯୁବକ ଜଣକ ସର୍ବସାଧାରଣ ରାସ୍ତାରେ ଠେଙ୍ଗା ଧରି ସରକାରୀ ବସ୍ ଚାଳକଙ୍କୁ ଯେଭଳି ଭାବେ ଧମକ ଦେଉଥିଲେ, ତାହା ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ କରି ନେଇଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଭିଡିଓ ଭାଇରାଲ୍ ହେବା ପରେ ଗାଡ଼ି ଚାଳକ ବାବାଜୀ ସେଠୀ ପାଟପୁର ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏକ ଲିଖିତ ଏତଲା ଦେଇଥିଲେ।
ଚାଳକଙ୍କ ଏତଲାକୁ ଭିତ୍ତିକରି ପାଟପୁର ଥାନା ଆଇଆଇସି (IIC) ଦୀପ୍ତି ରଞ୍ଜନ ବେହେରା ମାମଲା ନଂ ୧୭୭/୨୬ ଅନୁଯାୟୀ ପ୍ରତାପଗିରି ଗ୍ରାମର ଅଭିଯୁକ୍ତ କାହ୍ନା ନାୟକଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ଏହି ଘଟଣାର ସରଜମିନ ତଦନ୍ତ କରିବା ପାଇଁ ଆଇଆଇସି ତୁରନ୍ତ ଏଏସଆଇ (ASI) ରମାକାନ୍ତ ଶବରଙ୍କୁ ଦାୟିତ୍ୱ ଦେଇଛନ୍ତି। ପୋଲିସ ଭାଇରାଲ୍ ଭିଡିଓକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି।