ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକେ ଏବେ ବହୁ ହଇରାଣ ହେଉଛନ୍ତି। ଦାରିଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ପଞ୍ଚାୟତର ବାଡ଼ାବାଙ୍ଗା ରାସ୍ତାଠାରୁ ଲାରିବାଡ଼ି ଦେଇ ଡାକରବାଡ଼ିକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାର ଲାରିବାଡ଼ି ଗ୍ରାମ ନିକଟରେ ଥିବା ତାଲିଯୋଡ଼ି ବ୍ରିଜ୍ ଧୋଇଯାଇଛି। ଏହି ଘଟଣାରେ ପ୍ରଶାସନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ ପରେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଦାରିଙ୍ଗବାଡ଼ିସ୍ଥିତ ବିଭିନ୍ନ ବିଭାଗର ପ୍ରତିନିଧି ମଣ୍ଡଳୀ ବ୍ରିଜ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରତିନିଧି ମଣ୍ଡଳୀର ମୁଖ୍ୟ ବିଷ୍ଣୁ ଚରଣ ପ୍ରଧାନଙ୍କ ନେତୃତ୍ୱରେ ଏହି ଅନୁଧ୍ୟାନ କରାଯାଇଥିଲା।
ବ୍ରିଜ୍ଟି ଧୋଇଯିବା ଫଳରେ ଲାରିବାଡ଼ି ସମେତ କୁଡ଼ିମୁଞ୍ଜା ଓ ଗବାଟବାଡ଼ି ଗ୍ରାମର ଲୋକେ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି। ତେଣୁ ଶୀଘ୍ର ବ୍ରିଜ୍ ମରାମତି ପାଇଁ ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ ଏମ୍ପି ଓ ଜିଲା ପ୍ରଶାସନଙ୍କ ନିକଟରେ ଜଣାଇବେ ବୋଲି କହିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ହରେନ ସାହୁ, ରୁଦ୍ର ମାଧବ ସାହୁ, ସୁବାଷ ଚନ୍ଦ୍ର ସାହୁ, ମିନକେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ଉକ୍ତ ୩ଟି ଗ୍ରାମ ମଧ୍ୟରୁ ଗବାଟବାଡ଼ିକୁ ନିଜର ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି। ଗବାଟବାଡ଼ି ସମେତ ଏହାର ଆଖପାଖ ଅଞ୍ଚଳର ସ୍ୱତନ୍ତ୍ର ଉନ୍ନୟନ ଦିଗରେ ସେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।