ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ ନାଟକୀୟ ମୋଡ଼ ଆସିଛି। ଘଟଣାର କିଛି ଘଣ୍ଟା ପରେ ଚିକିତ୍ସାଳୟଠାରୁ ପ୍ରାୟ ୧୦ କିମି ଦୂର ଦନେଇ ବ୍ରହ୍ମପୁର ଅଞ୍ଚଳର ଏକ ଗାଁରୁ ନାବାଳିକାଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ନାବାଳିକାଙ୍କୁ ନେଇଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମଧ୍ୟ ଗ୍ରାମବାସୀ ଧରି ପୁଲିସକୁ ଜିମା ଦେଇଥିବା ଜଣାପଡ଼ିଛି।
ସୂଚନାନୁସାରେ, ଛତ୍ରପୁର ଥାନା ଅନ୍ତର୍ଗତ ହୁମର ଗ୍ରାମର ପ୍ରସନ୍ନ ରାଉଳଙ୍କ ୫ ବର୍ଷର ଦିବ୍ୟାଙ୍ଗ ଝିଅ କଥା କହିପାରୁନଥିବା ଜଣାପଡ଼ିଛି। ପ୍ରସନ୍ନଙ୍କ ପତ୍ନୀ ଟୁନି ରାଉଳ ଗତ ୩ ଦିନ ଧରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ ନିକଟରେ ନବଜାତ ଶିଶୁ ସହ ଅନ୍ୟ ଝିଅ ଓ ପ୍ରସନ୍ନଙ୍କ ମାଆ ଝୁନୁ ରାଉଳ ରହୁଥିଲେ।
ରବିବାର ଝୁନୁ ରାଉଳ ଚିକିତ୍ସାଳୟ ପରିସରରେ ଦିବ୍ୟାଙ୍ଗ ନାତୁଣୀକୁ ଧରି ବସିଥିବା ବେଳେ ଜଣେ ବ୍ୟକ୍ତି ନିଜକୁ ସମ୍ପର୍କୀୟ ବୋଲି ପରିଚୟ ଦେଇ ନାବାଳିକାକୁ ସାଙ୍ଗରେ ନେଇଯାଇଥିଲେ। କିଛି ସମୟ ପରେ ମଧ୍ୟ ସେ ନାବାଳିକାକୁ ଫେରାଇ ନଆଣିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପ୍ରସନ୍ନ ଚିକିତ୍ସାଳୟରେ ପହଞ୍ଚି ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ପୁଲିସ ଚିକିତ୍ସାଳୟରେ ପହଞ୍ଚି ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ଏହି ସମୟ ମଧ୍ୟରେ ନାବାଳିକାକୁ ଦନେଇ ବ୍ରହ୍ମପୁର ଅଞ୍ଚଳର ଏକ ଗାଁରେ ଠାବ କରି ଗ୍ରାମବାସୀ ଉଦ୍ଧାର କରିଥିଲେ। ନାବାଳିକାକୁ ନେଇଯାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଗ୍ରାମବାସୀ ଧରିଥିବା ବେଳେ ଉଭୟଙ୍କୁ ପୁଲିସ ଥାନାକୁ ନେଇ ତଦନ୍ତ ଜାରି ରଖିଛି। ନାବାଳିକାକୁ କେଉଁ ଉଦ୍ଦେଶ୍ୟରେ ନେଇଯାଇଥିଲେ, ସେନେଇ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।

