ଦୀପାବଳିରେ ଅଘଟଣ: ବାଣ ନିଆଁରେ ଜଳିଗଲା ୪ ବଖରା

ରୂପସା,୨୫।୧୦(ଡି.ଏନ୍‌.ଏ.):ଆଲୋକର ପର୍ବ ଦୀପାବଳି ଅବସରରେ ଆନନ୍ଦର ମାହୋଲ ଚାଲିଥିବା ବେଳେ ଘଟିଥିଲା ଅଘଟଣ । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ପଣ୍ଡରୁଙ୍ଗୀ ଓ ଦତ୍ତପୁର ଗ୍ରାମରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଛି। ପଣ୍ଡରୁଙ୍ଗୀ ଗ୍ରାମର ବିନୋଦ ଜେନା ଓ କାହ୍ନୁଚରଣ ଜେନାଙ୍କ ୪ ବଖରା ବାସଗୃହ ଭସ୍ମୀଭୂତ ହୋଇଯାଇଛି। ଖବରପାଇ ବସ୍ତା ଓ ରାସଗୋବିନ୍ଦପୁର ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଘର ସହ ସମସ୍ତ ଆସବାବପତ୍ର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଥି ସହ ନିଆଁରେ ପୋଡ଼ି ୩ଟି ଛେଳି, ୧୨ଟି କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ଟି ଗୋରୁ ଆହତ ହୋଇଥିବା ଜଣାପଡ଼ିଛି। ଦୀପାବଳି ରାତିରେ ପିଲାମାନେ ବାଣ ଫୁଟାଉଥିବା ସମୟରେ ଘର ଛପରରେ ନିଆଁ ଲାଗିଥିଲା । ସେହିପରି ଦତ୍ତପୁର ଗ୍ରାମର ରମାକାନ୍ତ ବେହେରାଙ୍କ ଘରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ।