ଧନୁଯାତ୍ରାରେ ଅଘଟଣ: ମାହୁନ୍ତଙ୍କୁ ଦଳିଦେଲା ହାତୀ

ବଲାଙ୍ଗୀର,୨୩ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁରେ ଚାଲିଥିବା ଧନୁଯାତ୍ରା ମହୋତ୍ସବରେ ଅଘଟଣ ଘଟିଛି। ଧନୁଯାତ୍ରା ମହୋତ୍ସବକୁ ଯେଉଁ ହାତୀକୁ ନେଇ ଆସିଥିଲେ ସେହି ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବଙ୍ଗୋମୁଣ୍ଡା ଗାଁରେ ଚାଲିଥିବା ୪୦ ତମ ଧନୁଯାତ୍ରା ମହୋତ୍ସବରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମାହୁନ୍ତ ହେଉଛନ୍ତି ଉତ୍ତରପ୍ରଦେଶ ଆହ୍ଲାବାଦ ଅଞ୍ଚଳର କଳ୍ପନ ଦୁବେ। ଏହି ଧନୁଯାତ୍ରାରେ ହାତୀ ପିଠିରେ ବସି ନଗର ପରିକ୍ରମା କରିବା ସହ ଯାତ୍ରା ମଞ୍ଚକୁ ଆସିଥାନ୍ତି ମହାରାଜ କଂସ। ଏଥିପାଇଁ ହାତୀ ସହ ଆହ୍ଲାବାଦରୁ ଆସିଥିଲେ ମାହୁନ୍ତ କଳ୍ପନ ଦୁବେ। ହେଲେ ହଠାତ୍‌ ସେହି ହାତୀ ଆକ୍ରମଣରେ ଗୁରୁତର ହୋଇପଡ଼ିଥିଲେ ମାହୁନ୍ତ। ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ବଙ୍ଗୋମୁଣ୍ଡା ଡାକ୍ତରଖାନା ଏବଂ ପରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧନୁଯାତ୍ରାରେ ସାମିଲ ହେବାକୁ ଆସିଥିବା ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହି ଅଘଟଣ ପରେ ଧନୁଯାତ୍ରା ମହୋତ୍ସବରେ ଖେଳିଯାଇଛି ଶୋକର ଛାୟା। ଏହି ଅଘଟଣ ପରେ ବନ ବିଭାଗ ଓ ବଙ୍ଗୋମୁଣ୍ଡା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

Dharitri – Odisha’s No.1 Odia Daily

Share