ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ କଷ୍ଟ ମାଝୀ(୪୫)। ଗୁରୁତର ଜଣକ ରବି ଖମାରୀ(୫୦)।
ଶନିବାର କୁଟିଗଡ ଗ୍ରାମର ବାଳକୃଷ୍ଣ ଦେହୁରୀଙ୍କ ଘରେ ବାହାଘର ଭୋଜି ଆୟୋଜନ ଚାଲିଥିଲା। କଷ୍ଟ ଓ ରବି ମସଲା ଗ୍ରାଇଣ୍ଡିଂ କରୁଥିବା ବେଳେ ପ୍ରଥମେ କଷ୍ଟଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ରବି ମଧ୍ୟ ଆହତ ହୋଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କଷ୍ଟଙ୍କ ମୃତ୍ୟୁ ହୋଇଥିଲା। ରବିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ସାନ ଭାଇ ସଞ୍ଜୟଙ୍କ ଏତଲା ଆଧାରରେ ଟିକାବାଲି ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଏଏସଆଇ ବାସନ୍ତୀ ବେହେରା କହିଛନ୍ତି ।


