ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି l ପୂଜାର୍ଚ୍ଚନା ପାଇଁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ରେମୁଣା ବ୍ଲକ କୁଳିଗାଁ ପଞ୍ଚାୟତର ତୁଷାରକାନ୍ତି ଦାସ (୨୭)। ଖନ୍ତାପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗଣେଶ ପୂଜା ପାଇଁ ସବୁଠି ଉତ୍ସବର ମାହୋଲ ଚାଲିଥିଲା। ଗାଁ ପୂଜା ମଣ୍ଡପକୁ ଯିବା ଲାଗି ତୁଷାରକାନ୍ତି ସକାଳେ ଗାଧୋଇବାକୁ ସ୍ଥାନୀୟ ପୋଖରୀକୁ ଯାଇଥିଲେ। ହେଲେ ଅସାବଧାନତାବଶତଃ ସେ ପୋଖରୀରେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖୁସିର ପର୍ବରେ ଏଭଳି ଦୁଃଖଦ ଘଟଣା ଯୋଗୁ ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Share