ମାଧୁର୍ଯ୍ୟହରା ବର୍ଷାଋତୁ

ବର୍ଷାଋତୁର ଆଗମନ ଧରାବାସୀଙ୍କ ପାଇଁ ଅମୋଘ ସୀବନୀ ସଦୃଶ। ସକଳ ପ୍ରାଣୀ ଓ ଉଦ୍ଭିଦ ଜଗତର ଜୀବନଚକ୍ରକୁ ସୁରକ୍ଷିତ କରେ, ପ୍ରଦାନ କରେ ନବଜୀବନ। ପିଲାଦିନେ ପଢ଼ିଥିବା ଏକ କବିତାଂଶ ବେଶ୍‌ ପ୍ରଭାବିତ କରିଥିଲା ତତ୍‌କାଳୀନ ଛାତ୍ର ସମାଜକୁ। ମେଘ କହୁଛି-‘ଭାସି ଯାଉଥିଲି ନଭେ ସମୀରଣ ଦୋଳରେ-କିଏ ମୋତେ ଡାକିଦେଲା ଏ ମଧୁର ବେଳାରେ।’ ‘ଧାନକ୍ଷେତ ଚାଷୀ ମୋତେ ବସିଥିବ ଅନାଇ- ଟପ ଟପ ଗୀତ ବାରେ ଦେବି ତାକୁ ଶୁଣାଇ।’ ସମୟ ବଦଳିଛି। ପରିବେଶ ଅସନ୍ତୁଳିତ। ଚାଷୀ ଆକାଶକୁ ଚାହିଁ ଯେତେ ଉଦ୍‌ବିଗ୍ନ ହେଲେ ମଧ୍ୟ ବାରିଧାରାର ଟପ ଟପ ସ୍ବର ଆଉ ଶୁଭୁନାହିଁ। ମେଘ ଆଉ ଅକାତରରେ ବାରିବର୍ଷଣ କରୁନାହିଁ। କବିବର ରାଧାନାଥଙ୍କର ସେ କବିତାଂଶ ‘ବିତରେ ଅକାତରେ ଜୀବନ ଘନ – ଧନ୍ୟ ଯେ ଦାତା ଜାଣେ ଯାଚକ ମନ’- ତା’ର ଔଜ୍ଜ୍ୱଲ୍ୟ ହରାଇଥିବା ପରି ମନେହୁଏ। ଶ୍ରୀମଭାଗବତ ଗୀତା କହନ୍ତି – ପୃଥିବୀକୁ ଆମର ମା’ ଓ ସୂର୍ଯ୍ୟ ଆମର ପିତା ସଦୃଶ। ପୃଥିବୀ ଓ ସୂର୍ଯ୍ୟଙ୍କର ମିଳନ ଯୋଗୁ ସମୁଦ୍ରମାନଙ୍କରୁ ରସାସ୍ବାଦିତ ହୋଇ ଆକାଶରୂପକ ଗର୍ଭରେ ନଅମାସ କାଳ କ୍ରମବର୍ଦ୍ଧମାନ ଅବସ୍ଥାରେ ରହି ବର୍ଷାଋତୁ ଜଳରୂପକ ସନ୍ତାନ ପ୍ରସବିତ ହୁଏ।
ପ୍ରାଣୀ ଜଗତର ଆବେଗ, ଆବଶ୍ୟକତା ଓ ତଜ୍ଜନିତ ବ୍ୟାକୁଳତାକୁ ସ୍ବୀକାର କରି ଧରାପୃଷ୍ଠକୁ ଓହ୍ଲାଇଆସେ ବର୍ଷାଋତୁ। ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରେ ବିଦଗ୍ଧ ଧରାବାସୀଙ୍କର ନୀରସ ଜୀବନ ମେଘମାଳାର ଅମୃତ ବାରିଧାରାରେ ହୋଇଉଠେ ସରସ ସୁନ୍ଦର। ପ୍ରକୃତି ମା’ର ରୂପ ବଦଳିଯାଏ। ନିସ୍ତେଜ ପତ୍ରବିହୀନ, ମୃତପ୍ରାୟ ବୃକ୍ଷରାଜି ନବପଲ୍ଲବିତ ହୋଇ ନୂତନ ଜୀବନ ଲାଭ କଲାପରି ପ୍ରତୀୟମାନ ହୁଅନ୍ତି। ପ୍ରାଚୀନ ପରମ୍ପରା ଅନୁଯାୟୀ, ବର୍ଷାର ଟପ ଟପ ଶବ୍ଦ ଶ୍ରବଣ ମାତ୍ରକେ ନବବିବାହିତା ଲାଳନାର ମନପ୍ରାଣ ଅସ୍ଥିର ହୋଇଉଠେ ଓ ବିଦେଶସ୍ଥିତ ସ୍ବାମୀଙ୍କ ଉପସ୍ଥିତିକୁ ଝୁରିହୁଏ। ସେହିପରି ବିଦେଶସ୍ଥିତ ପୁରୁଷଟି ମଧ୍ୟ ନବପରିଣିତା ପନତ୍ୀଙ୍କ ସଙ୍ଗସୁଖ ବାସନାରେ ଜର୍ଜରିତ ହୁଏ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି –
”ବିଦେଶେ ନାୟକ ଭାଳଇ ବସି- କି କରୁଥିବ ମୋ ପ୍ରୀତି ଲାଳସୀ।
 ଝୁରୁଥିବ ବସି ରଜନୀ ଦିବା- ଧିକ ଜୀବନ ବିଦେଶେ ରହିବା।ା“
ଏମିତି କେତେ କେତେ କବି, ଲେଖକ, ଭାବୁକ ବର୍ଷାର ଅପରୂପ ଲାବଣ୍ୟକୁ ଲେଖନି ମୁନରେ ପ୍ରକାଶକରି ବର୍ଷାଋତୁ ବୈଶିଷ୍ଟ୍ୟ ବର୍ଣ୍ଣନାରେ ଶତମୁଖ ହୋଇଉଠିଛନ୍ତି। ପୂର୍ବକାଳରେ ରାଜା ମହାରାଜାମାନେ ବର୍ଷାଋତୁର ଆଗମନରେ ତାଙ୍କ ଯୁଦ୍ଧାଭିଯାନକୁ ସ୍ଥଗିତ ରଖି ଚାତୁର୍ମାସ୍ୟ ବ୍ରତ ପାଳନରେ ନିମଜ୍ଜିତ ହେଉଥିଲେ। ବାଲ୍ମୀକି ରାମାୟଣର ବର୍ଣ୍ଣନା ଅନୁସାରେ -ବର୍ଷାଋତୁର ଆଗମନରେ ନ ଥାଏ ନିଦାଘର ଉପତ୍ୀଡ଼ନ, ନ ଥାଏ ମଧ୍ୟ କାଳବୈଶାଖୀର ଖଣ୍ଡପ୍ରଳୟଜନିତ ତାଣ୍ଡବ କିମ୍ବା ଅକାଳ ବଜ୍ରପାତର ବିଭୀଷିକା। ସର୍ବତ୍ର ଶୀତଳତାର ଅପୂର୍ବ ସ୍ପର୍ଶ। ଶୀତଳ ସମୀରଣର ଶିହରଣ ସୃଷ୍ଟିକାରୀ ଧୀର ପ୍ରବାହ। କୃଷକର ବହୁ ପ୍ରତୀକ୍ଷିତ ଜଳଧାରା ଯେତେବେଳେ ତା’ କୃଷିକ୍ଷେତ୍ରରେ ଭରିଯାଏ ଉତ୍ତମ ଶସ୍ୟ ଉପତ୍ାଦନର ଅନାଗତ ସୁଖପ୍ରାପ୍ତିରେ ତା’ର ମନପ୍ରାଣ ପୁଲକିତ ହୋଇଉଠେ। କିନ୍ତୁ ତା’ର ଆଶା ନିରାଶାରେ ଭରିଯାଏ ଯେତେବେଳେ ଅନାବୃଷ୍ଟି, ଅତିବୃଷ୍ଟି ଓ ବନ୍ୟାବାତ୍ୟାର ସର୍ବଗ୍ରାସୀ କରାଳ ମୁଖରେ ସେ ନିପତିତ ହୁଏ। ସେ ଭୀତତ୍ରସ୍ତ ହୋଇ ଯେ କୌଣସି ଦାରୁଣ ପରିଣତିକୁ ଆଦରିନିଏ।
ଭାରତୀୟ କୃଷି ମୌସୁମୀବାୟୁର କ୍ରୀଡ଼ନକ। ଆଜିକାଲି ମୌସୁମୀ ଆଗମନ ଓ ପ୍ରବାହରେ ନାହିଁ ସ୍ଥିରତା। ଏକ ଅନିଶ୍ଚିତତା ମଧ୍ୟରେ ଗତିକରେ କୃଷକର ଜୀବନଧାରା। ମୌସୁମୀ ଆଗମନ ଯଥା ସମୟରେ ହେଉଥିଲେ ମଧ୍ୟ ତାକୁ ସହାୟତା କଲାଭଳି ଅନୁକୂଳ ପରିବେଶ ଅଭାବରୁ ଶୀଘ୍ର ଦୁର୍ବଳ ହୋଇପଡୁଛି। ଆକାଶରେ କଳାମେଘର ଆସ୍ତରଣ ଭାରିବର୍ଷାର ଭ୍ରମ ସୃଷ୍ଟି କରୁଛି ଓ ପର ମୁହୂର୍ତ୍ତରେ କେଉଁଆଡ଼େ ହଜିଯାଉଛି। ମୌସୁମୀ ବାୟୁର ଲୁଚକାଳି ଖେଳ କୃଷିଜୀବୀ ପାଇଁ କାଳ ସାଜୁଛି। କେବଳ ବର୍ଷାଦିନେ ଜଳଧାରଣ କରି ବର୍ଷର ଅବଶିଷ୍ଟ ସମୟ ଶୁଷ୍କତାକୁ ଆଦରିବାକୁ ପଡୁଛି। ଅବିଚାରିତ ଭାବେ ବୃକ୍ଷଛେଦନ ଓ ବନ ଧ୍ୱଂସୀକରଣ ଯୋଗୁ ବୃଷ୍ଟିଜଳ ଭୂତଳଗାମୀ ହେବା ପରିବର୍ତ୍ତେ ନଦୀରେ ବନ୍ୟା ସୃଷ୍ଟି କରୁଛି ଓ ସମୁଦ୍ରର ବିପୁଳ ଜଳଧାରାରେ ନିମଜ୍ଜିତ ହେଉଛି। ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବେ ଲିଖିତ ‘ଫରେଷ୍ଟସ୍‌ ଫର୍‌ ଦି ପିପୁଲ’ରେ ଲେଖକ ରୁଷ୍‌ ଇିଞ୍ଜିନିୟର ଚେତାବନୀ ଶୁଣାଇଛନ୍ତି ଯେ, ଆମେ ଯଦି ଅଧିକରୁ ଅଧିକ ବୃକ୍ଷ ରୋପଣ ଓ ତା’ର ସଂରକ୍ଷଣ ନ କରିବା ତେବେ ଖୁବ୍‌ ନିକଟରେ ଆମକୁ ଘୋର ବିପତ୍ତିର ସାମ୍‌ନା କରିବାକୁ ହେବ, ଯାହା ଆଜି ସତ୍ୟତାରେ ପରିଣତ ହୋଇଛି।
 କେଉଁଠି ଅତ୍ୟଧିକ ବର୍ଷା ହୋଇ ପ୍ରଳୟ ସୃଷ୍ଟି କରୁଛି ଇ ତ କେଉଠି ଲୋକେ ମରୁଡ଼ିକୁ ସାମ୍ନା କରୁଛନ୍ତି। ଜଳକଷ୍ଟ ପୃଥିବୀବାସୀଙ୍କୁ ଅତିଷ୍ଠ କଲାଣି। ୨୦୧୧ ଜନଗଣନାର ରିପୋର୍ଟ ଅନୁଯାୟୀ, ଓଡ଼ିଶାର ୩୬ ପ୍ରତିଶତରୁ ଅଧିକ ଲୋକଙ୍କୁ ପାଣି ବୁନ୍ଦାଏ ପାଇବା ପାଇଁ ପ୍ରତ୍ୟହ ପ୍ରାୟ ଏକ କିଲୋମିଟର ବା ତଦୂଦ୍ଧର୍‌ବ ପଥ ଅତିକ୍ରମ କରିବାକୁ ପଡୁଛି। ବର୍ତ୍ତମାନ ଏହି ସଂଖ୍ୟା ଢେର୍‌ ବଢ଼ିଲାଣି। ପୃଥିବୀର ପ୍ରାୟ ୭୨ ଭାଗ ଜଳ ଓ ୨୮ ଭାଗ ସ୍ଥଳ ହୋଇଥିଲେ ମଧ୍ୟ ପ୍ରାଣୀ ଆବଶ୍ୟକ କରୁଥିବା ଜଳର ପରିମାଣ ମାତ୍ର ୩ ପ୍ରତିଶତରୁ କମ୍‌। ସେଥିରୁ ଦୁଇ ପ୍ରତିଶତ ଜଳ ହିମତୁଷାର ଆକାରରେ ଗଚ୍ଛିତ ରହିଥିବା ବେଳେ ମାତ୍ର ୧ ପ୍ରତିଶତ ଜଳ ମନୁଷ୍ୟ ଓ ଅନ୍ୟ ପ୍ରାଣୀମାନଙ୍କର ଆବଶ୍ୟକତାରେ ଆସୁଛି। ସମୁଦାୟ ୧୮ ପ୍ରତିଶତ ବୃଷ୍ଟିଜଳ, ଯାହା କେଉଁକାଳରୁ ବୃକ୍ଷମାନଙ୍କ ଦ୍ୱାରା ଭୂତଳଗାମୀ ହେଉଥିଲା – ତାହା ଏବେ ସିଧା ସମୁଦ୍ରକୁ ଚାଲିଯାଉଛି। ଗତ ଶତାବ୍ଦୀର ୮୦ଦଶକ ସୁଦ୍ଧା ନଦୀମାନଙ୍କରେ ଯେତେ ଜଳ ପ୍ରବାହିତ ହେଉଥିଲା ଏବେ ତାହା ଶୁଷ୍କତାକୁ ଆଦରି ନେଇଛି। ବର୍ଷତମାମ୍‌ ଯେତେ ବୃଷ୍ଟିପାତ ହେବାକଥା ପାଖାପାଖି ସେତିକି ବର୍ଷା ହେଉଥିଲେ ମଧ୍ୟ ଅକାଳବୃଷ୍ଟି ଓ ସ୍ଥାନେ ସ୍ଥାନେ ଅତିବୃଷ୍ଟି ଉପକାର ପରିବର୍ତ୍ତେ ଅଧିକ କ୍ଷତି କରୁଛି। ମୋଟାମୋଟି ବର୍ଷାଋତୁର ସେ ପୂର୍ବ ବୈଶିଷ୍ଟ୍ୟ ଆଉ ନାହିଁ। ବର୍ଷାଋତୁ ଆସୁଥିଲେ ମଧ୍ୟ ବେଙ୍ଗମାନଙ୍କର ରାବ ନ ଶୁଭି କୋଇଲି ଓ ଝିଙ୍କାରିଙ୍କ ରାବ ଶୁଣାଯାଉଛି।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri