ଏଇ ଭାରତରେ

ଉତ୍ତରପ୍ରଦେଶ ଲଖିମପୁର ଖେରୀର ଗୋନ୍ଧିୟା ଗ୍ରାମରେ ମଣିଷ ଏବଂ ମାଙ୍କଡ଼ଙ୍କ ମଧ୍ୟରେ ବନ୍ଧୁତ୍ୱର ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଜଣେ ଚାଷୀଙ୍କ ମୃତ୍ୟୁ ପରେ ମାଙ୍କଡ଼ଟି ଜଙ୍ଗଲରୁ ବାହାରି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା। ଗୋନ୍ଧିୟା ନିବାସୀ ଏହି ଚାଷୀଙ୍କ ନାମ ଚନ୍ଦନଲାଲ କ୍ୱର୍ମା। ତାଙ୍କର ଦେହାନ୍ତ ହେବା ପରେ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ କାନ୍ଦୁଥିଲେ। ହଠାତ୍‌ ମାଙ୍କଡ଼ଟି ଆସି ମୃତ ଚନ୍ଦନଲାଲଙ୍କ ଉପରେ ପଡ଼ିଥିବା ଚାଦର କାଢ଼ି ତାଙ୍କ ମୁହଁକୁ ଭଲ ଭାବେ ଦେଖିଲା। ଏପରି କି ସେ ପରିବାରର ମହିଳାମାନଙ୍କ କୋଳରେ ମୁଣ୍ଡ ରଖି କାନ୍ଦିବା ସହ ସେମାନଙ୍କ ଉପରେ ହାତ ରଖି ସାନ୍ତ୍ୱନା ମଧ୍ୟ ଦେବା ଦେଖାଯାଇଥିଲା। ଚନ୍ଦନଲାଲ ଓ ମାଙ୍କଡ଼ ମଧ୍ୟରେ ସମ୍ପର୍କ ଗଢ଼ିଉଠିବାର ବାସ୍ତବତା ରହିଛି। ପ୍ରତିଦିନ ଚନ୍ଦନଲାଲ ଫସଲ ଜଗିବାକୁ ଯାଉଥିଲେ। ସେ ସାଙ୍ଗରେ ନେଇଯାଉଥିବା ରୁଟିରୁ ଗୋଟିଏ ମାଙ୍କଡ଼କୁ ଖାଇବାକୁ ଦେଉଥିଲେ। ସେଥିରୁ ଦୁହଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଯାଇଥିଲା। ତେଣୁ ବନ୍ଧୁତ୍ୱର ଋଣ ଶୁଝିବାକୁ ମାଙ୍କଡ଼ଟି ଚାଷୀଙ୍କ ମୃତ୍ୟୁ ପରେ ତାଙ୍କ ଘରେ ପହଞ୍ଚିଥିଲା। ଯେତେବେଳେ ପରିବାର ଓ ଗ୍ରାମବାସୀ ଶେଷ ରୀତିନୀତି ପାଇଁ ଚନ୍ଦନଲାଲଙ୍କ ମୃତଦେହ ନେଇଥିଲେ, ମାଙ୍କଡ଼ ସେଠାରୁ ଜଙ୍ଗଲକୁ ପଳାଇ ଯାଇଥିଲା।