ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌ ମିଲାନ ରୋକେ ଡମ୍ପୟାର୍ଡକୁ ସବୁଜ ଜଙ୍ଗଲ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଡମ୍ପୟାର୍ଡରେ କେବଳ ବିଭିନ୍ନ କିସମର ଫଳଗଛ ଲଗାଇଛନ୍ତି, ଯାହାଫଳରେ ସେଥିରୁ କିଛି ଉତ୍ପାଦନ ହୋଇପାରୁଛି। ଜିଥ୍‌ଙ୍କ ବୟସ ୪୬। ସେ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେ ଯେଉଁଠି ରହୁଥିଲେ ସେଠାରେ ଗଛର ଅଭାବ ଥିଲା। ଏଣୁ ସେ ପ୍ରଥମେ ଆଖପାଖ ଅଞ୍ଚଳରେ ଗଛ ଲଗାଇବା ଆରମ୍ଭ କରିଥିଲେ। ପରେ ଚାକିରି ଛାଡ଼ି ସେ ମାଙ୍ଗାଲୋର ଗ୍ରୀନ୍‌ ବ୍ରିଗ୍ରେଡ୍‌ ପ୍ରୋଜେକ୍ଟ ମାଧ୍ୟମରେ ଗଛ ଲଗାଇ ଏବେ ଟେକ୍‌ମ୍ୟାନ୍‌ରୁ ଜଣେ ପରିବେଶବିତ୍‌ ହୋଇଗଲେଣି। ଜିଥ୍‌ ୬ ବର୍ଷ ହେଲା ଡମ୍ପୟାର୍ଡ ତଥା ଅନ୍ୟ ଅବ୍ୟବହୃତ ଜମିରେ ଗଛ ଲଗାଉଛନ୍ତି। ସେ ପ୍ରତିବର୍ଷ ମାଙ୍ଗାଲୋରରେ ୧୨,୦୦୦ ଗଛ ଲଗାଉଛନ୍ତି। ୪୨ ଏକର ବିଶିଷ୍ଟ ଏକ ଡମ୍ପୟାର୍ଡରେ ଗଛ ଲଗାଇବା ତାଙ୍କର ଏକ ଉଲ୍ଲେଖନୀୟ କାର୍ଯ୍ୟ। ଏହା ବ୍ୟତୀତ ସେ ସ୍କୁଲ ଓ କଲେଜରେ ମଧ୍ୟ ଗଛ ଲଗାଉଛନ୍ତି। ଏହାଦ୍ୱାରା ତାଙ୍କ ପ୍ରୋଜେକ୍ଟରେ ଏବେ ଅନେକ ହଜାର ଛାତ୍ରୀଛାତ୍ର ସାମିଲ ହୋଇ ବୃକ୍ଷରୋପଣ କରୁଛନ୍ତି।