ଏଇ ଭାରତରେ

ବାର୍ଦ୍ଧକ୍ୟରେ ବିଭିନ୍ନ ଶାରୀରିକ ଅସୁସ୍ଥତା ଦେଖାଯାଏ। ମୁଖ୍ୟତଃ ପାର୍କିନସନ ଡିଜିଜ୍‌ ବୃଦ୍ଧାବସ୍ଥାରେ ବଡ଼ ସମସ୍ୟା ଭାବେ ଉଭା ହୁଏ। ଏହି ରୋଗୀମାନଙ୍କୁ କେତେକାଂଶରେ ଉପଶମ ଲାଗି ପୁଣେର ହୃଷୀକେଶ ପାଓ୍ବାରଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ। ସେ ମାଗଣାରେ ପାର୍କିନସନ ରୋଗୀଙ୍କୁ ଡ୍ୟାନ୍ସ ଥେରାପି ଯୋଗାଇ ଦେଉଛନ୍ତି। ଶହେ କି ଦୁଇଶହ ନୁହେଁ, ହଜାର ହଜାର ରୋଗୀ ଏହି ସେବାର ସୁଯୋଗ ନେଉଛନ୍ତି। ହୃଷୀକେଶ ସେଣ୍ଟର ଫର୍‌ କଣ୍ଟେମ୍ପୋରାରି ଡ୍ୟାନ୍ସ ପ୍ରତିଷ୍ଠା କରି ସେଠାରେ ଥେରାପି ବ୍ୟବସ୍ଥା କରିଛନ୍ତି। ପୁଣେ ବ୍ୟତୀତ ବେଙ୍ଗାଲୁରୁ, ଚେନ୍ନାଇ ଏବଂ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନରୁ ବରିଷ୍ଠ ନାଗରିକମାନେ ଏଠାକୁ ଆସୁଛନ୍ତି। ମାତ୍ର ଅଳ୍ପ କେତେଜଣକୁ ନେଇ ସେ ୨୦୧୧ରେ ଡ୍ୟାନ୍ସ ଥେରାପି ଆରମ୍ଭ କରିଥିଲେ। ଏହି ଥେରାପିରେ ଏବେ ଅନେକ ହଜାର ବରିଷ୍ଠ ନାଗରିକ ଯୋଗ ଦେଉଛନ୍ତି। ପିଲାଦିନରୁ ହୃଷୀକେଶଙ୍କର ଡ୍ୟାନ୍ସ ପ୍ରତି ଆଗ୍ରହ ରହିଥିଲା। ଏଣୁ ସେ ଶିକ୍ଷା ଶେଷ କରି ୨୦୦୮ରେ ପ୍ରଥମେ ଏକ ଡ୍ୟାନ୍ସ କ୍ଲାସ୍‌ ଆରମ୍ଭ କରିଥିଲେ। କିନ୍ତୁ ପରେ ବରିଷ୍ଠ ନାଗରିକମାନଙ୍କ ପାର୍କିନସନ ସମସ୍ୟାକୁ ଲକ୍ଷ୍ୟ କରି ସେମାନଙ୍କ ପାଇଁ ଡ୍ୟାନ୍ସ ଥେରାପି ଆରମ୍ଭ କରିଥିଲେ। ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କଠାରୁ ପ୍ରାପ୍ତ ଦାନ ଅର୍ଥରେ ସେ ଏହି କାର୍ଯ୍ୟ କରୁଛନ୍ତି।