ଏଇ ଭାରତରେ

ଆମ୍ବୁଲାନ୍ସ ପାଇଁ ପାଖରେ ଟଙ୍କା ନ ଥିବାରୁ ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ରଖି ୨୦୦ କିଲୋମିଟର ଯାତ୍ରାକରିବା ଭଳି ଏକ ଅମାନବୀୟ ଘଟଣା ସାମ୍‌ନାକୁ ଆସିଛି ପଶ୍ଚିମବଙ୍ଗରେ। ଉତ୍ତର ପଶ୍ଚିମବଙ୍ଗର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସ ପାଇଁ ଟଙ୍କା ଅଭାବରୁ ଅସହାୟ ବାପା ଶିଶୁ ମୃତଦେହକୁ ଏକ ବ୍ୟାଗରେ ନେଇ ବସ୍‌ ଯୋଗେ ସିଲିଗୁଡିରୁ କାଲିଆଗଞ୍ଜ ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଏହି ଶିଶୁର ଘର କାଲିଆଗଞ୍ଜ ଅଞ୍ଚଳର ମୁସ୍ତାଫାନଗର ପଞ୍ଚାୟତର ଡାଙ୍ଗପଡା ଗ୍ରାମରେ। ମୃତ ଶିଶୁର ନାମ ଅସୀମ ଦେବ । ତାଙ୍କ ପିତା କହନ୍ତି, ତାଙ୍କର ପାଞ୍ଚ ମାସର ଯାଆଁଳା ଶିଶୁପୁତ୍ର ଗତ ସପ୍ତାହରେ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ଉତ୍ତର ପଶ୍ଚିମବଙ୍ଗର ମେଡିକାଲ କଲେଜକୁ ନିଆଯାଇଥିଲା। ଚିକିତ୍ସା ପରେ ଜଣେ ଶିଶୁ ସୁସ୍ଥ ହେବା ପରେ ତାଙ୍କ ମା’ ତାଙ୍କ ସହ କାଲିଆଗଞ୍ଜକୁ ଫେରି ଆସିଥିଲେ। ଅନ୍ୟ ଶିଶୁପୁତ୍ର ଚିକିତ୍ସିତ ହେଉଥିଲେ ଓ ତାଙ୍କର ମୃତ୍ୟୁ ହେବାପରେ ମେଡିକାଲ କଲେଜର ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲା ଏବଂ ସେମାନେ ମୃତଦେହକୁ କାଲିଆଗଞ୍ଜକୁ ନେବାକୁ ଆଠ ହଜାର ଟଙ୍କା ମାଗିଥିଲେ। ଆମ୍ବୁଲାନ୍ସ ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା। ଶେଷରେ ସେ ତାଙ୍କ ଶିଶୁପୁତ୍ରର ମୃତଦେହକୁ ପ୍ଲାଷ୍ଟିକ୍‌ରେ ଗୁଡ଼ାଇ ବ୍ୟାଗରେ ରଖି ବସ୍‌ରେ ଆସିଥିଲେ।