ଏଇ ଭାରତରେ

ଦସ୍ୟୁ ରତ୍ନାକର ବାଲ୍ମୀକି ହେବା ଭଳି ନାଗାଲାଣ୍ଡର ରୁଭୁତୋ ବେଲ୍‌ହୋ ଶିକାର ଛାଡ଼ି ପ୍ରାଣୀ ସଂରକ୍ଷକ ପାଲଟିିଯାଇଛନ୍ତି। ପିଲାଟି ଦିନରୁ ଶିକାର ସହ ଅଭ୍ୟସ୍ତ ରହି ବହୁ ଜୀବଙ୍କୁ ହତ୍ୟା କରିଥିବା ବେଲ୍‌ହୋ ପ୍ରାଣୀ ଉଦ୍ଧାର କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଏବେ ସୁଦ୍ଧା ସେ ୬୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାଣୀ ଉଦ୍ଧାର କରି ନିଜ ଘରେ ଆଶ୍ରୟ ଦେଇଛନ୍ତି। ସେଥିରେ କେବଳ ୩୦ ପ୍ରଜାତିର ପକ୍ଷୀ ଅଛନ୍ତି। କୋହିମାର ଏକ ସବୁଜ ଭୂମିରେ ଥିବା ତାଙ୍କ ଘରକୁ ଏବେ କୁହାଯାଉଛି ମିନି ଜୁ ବା ଛୋଟ ଚିଡ଼ିଆଖାନା। ବେଲ୍‌ହୋ ସରକାରୀ ଚାକିରି କରିଥିଲେ। ଅବସର ପରେ ସେ ପକ୍ଷୀଙ୍କ ସେବାରେ ଲାଗିଛନ୍ତି। ଏବେ ସଞ୍ଚିତ ଅର୍ଥ ଓ ଦାନରେ ତାଙ୍କ ଚିଡ଼ିଆଖାନା ଚଳାଉଛନ୍ତି। ପ୍ରାଣୀଗୁଡ଼ିକର ଖାଦ୍ୟ, ଚିକିତ୍ସା ସବୁକିଛି ନିଜେ ବହନ କରୁଛନ୍ତି। ପ୍ରାଣୀମାନଙ୍କ ଦେଖାରଖାରେ ପରିବାର ସହଯୋଗ କରୁଛନ୍ତି। ଆଖପାଖର ଲୋକେ ବି ଏହି ଜୀବଗୁଡ଼ିକୁ ଦେଖିବାକୁ ଆସୁଛନ୍ତି। ବୟସ୍କମାନଙ୍କ ପାଇଁ ୨୦ ଟଙ୍କା ଦେୟ ରଖାଯାଇଥିବାବେଳେ ପିଲାମାନେ ମାଗଣାରେ ଦେଖୁଛନ୍ତି। ଏଥିରୁ ଯାହା ଆୟ ହେଉଛି ତାହାକୁ ସେ ଜୀବମାନଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ କରୁଛନ୍ତି। ଖର୍ଚ୍ଚ ବଢ଼ିବାରୁ ଏବେ ସେ ଜୀବଗୁଡ଼ିକୁ କୌଣସି ପଞ୍ଜୀକୃତ ଚିଡ଼ିଆଖାନାକୁ ଦେବା ଲାଗି ଚାହୁଁଛନ୍ତି।