ଏଇ ଭାରତରେ

ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ସଚେତନତାମୂଳକ କାର୍ଯ୍ୟ କରାଯାଉଛି। କିନ୍ତୁ ଲକ୍ଷ୍ନୌର ଜ୍ୟୋତି ପାଣ୍ଡେଙ୍କ ପଦକ୍ଷେପ ଏସବୁ ମଧ୍ୟରେ ନିଆରା। ସେ ସାଇକେଲ ଆରୋହୀଙ୍କ ସୁରକ୍ଷା ପାଇଁ ମାଗଣାରେ ସେଫ୍ଟି ଲାଇଟ ଲଗାଉଛନ୍ତି। ଫଳରେ ଘନକୁହୁଡ଼ି ଓ ଅନ୍ଧାରରେ ସେମାନଙ୍କ ଜୀବନ ରକ୍ଷା ହୋଇପାରୁଛି। ଜ୍ୟୋତି ‘ସପ୍ନୋ କି ଉଡାଣ ଫାଉଣ୍ଡେଶନ’ ମାଧ୍ୟମରେ ଉଜ୍ଜାଲା ଅଭିଯାନ ନାମରେ ଏହା ଚଳାଉଛନ୍ତି। ଏବେ ସୁଦ୍ଧା ସେ ୧୫୦୦ ସାଇକେଲରେ ଲାଇଟ୍‌ ଲଗାଇ ସାରିଲେଣି। ଏହି କାର୍ଯ୍ୟରେ ତାଙ୍କ ପରିବାର ସହଯୋଗ କରୁଛି। ପ୍ରତିବର୍ଷ ଦେଶରେ ୪୦୦୦ରୁ ଊର୍ଦ୍ଧ୍ୱ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟୁଥିବା ବେଳେ ଅଧିକାଂଶ କ୍ଷେତ୍ରରେ ସେଫ୍ଟି ଲାଇଟ ନ ଥିବା ଯୋଗୁ ହେଉଛି । ଏଣୁ ଜ୍ୟୋତି ଏହି ଅଭିଯାନ ଚଳାଉଥିବା ପ୍ରକାଶ କରିଛନ୍ତି। ୨୩ ବର୍ଷୀୟା ଜ୍ୟୋତି ଏବେ କଲେଜରେ ପଢୁଛନ୍ତି। କେବଳ ଏତିକି ନୁହେଁ, ସେ ମଧ୍ୟ ଋତୁସ୍ରାବଜନିତ ସମସ୍ୟା ଦୂର କରିବା ଲାଗି ପ୍ରୋଜେକ୍ଟ ଦାଗ, ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା ଲାଗି ପ୍ରୋଜେକ୍ଟ ଅନ୍ନପୂର୍ଣ୍ଣା ଏବଂ ସଡ଼କରେ କାମ କରୁଥିବା ଲୋକଙ୍କ ପାଇଁ ଛାଇ ପ୍ରୋଜେକ୍ଟ ଚଳାଉଛନ୍ତି। ଏସବୁ ଚଳାଇବା ଲାଗି ସେ ପଢ଼ାରୁ ସମୟ ବାହାର କରି ତିନୋଟି ଜାଗାରେ ପାର୍ଟଟାଇମ କାମ କରୁଛନ୍ତି।