ଏଇ ଭାରତରେ

ଆମମାନଙ୍କର ଧାରଣା ରହିଛି ଯେ ପରିଣତ ବୟସ ବିଶ୍ରାମର ସମୟ। କିନ୍ତୁ ୮୮ ବର୍ଷ ବୟସରେ ପହଞ୍ଚିଥିବା ଅହମଦାବାଦର ପ୍ରଜ୍ଞା ପାରେଖ ତାଙ୍କ ହସ୍ତକଳାକୁ ନେଇ ବେଶ୍‌ ଚଳଚଞ୍ଚଳ। ଏହାକୁ ସେ ଦେଶ ବିଦେଶରେ ପହଞ୍ଚାଇ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ମଧ୍ୟ ଦିନକୁ ହସ୍ତକଳା ପାଇଁ ୪ରୁ ୫ ଘଣ୍ଟା ସମୟ ଦେଉଛନ୍ତି। ବୟସର ଅପରାହ୍ନରେ ଥିବା ପ୍ରଜ୍ଞା ଭାରତର ବିଭିନ୍ନ ଅଞ୍ଚଳ ସହ ବିଦେଶରେ ଏହା ବିକ୍ରି କରୁଛନ୍ତି। କାନାଡା, ଆମେରିକା, ଜାପାନ ସହିତ ୧୦ଟି ଦେଶରୁ ସେ ଅର୍ଡର ପାଉଛନ୍ତି। ଆଶ୍ଚର୍ଯ୍ୟର କଥା, ପ୍ରଜ୍ଞା ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ସିଲାଇଠାରୁ ଆରମ୍ଭ କରି ସବୁ କାର୍ଯ୍ୟ ସୁରୁଖୁରୁରେ କରୁଛନ୍ତି। ସେ ମଧ୍ୟ ବିଭିନ୍ନ ବର୍ଜ୍ୟରୁ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ୨୦୧୯ରେ ପ୍ରଜ୍ଞା ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଲକ୍‌ଡାଉନ ସମୟରେ ଭିଡିଓ ଅପ୍‌ଲୋଡ କରିବା ପରେ ଅର୍ଡର ମିଳିବା ଆରମ୍ଭ ହୋଇଗଲା। ସେ ତିଆରି କରୁଥିବା ବିଭିନ୍ନ ଜିନିଷ ମଧ୍ୟରେ ରଙ୍ଗବେରଙ୍ଗ ପକ୍ଷୀ ସବୁଠୁ ଆକର୍ଷଣୀୟ। ସେ ତାଙ୍କ ହସ୍ତକଳାର ବିଜ୍‌ନେସ ବି ଅନ୍‌ଲାଇନରେ ଚଳାଉଛନ୍ତି।