ଏଇ ଭାରତରେ

ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜଣେ ମହିଳା ଶ୍ମଶାନର ବିକାଶ ପାଇଁ କାମ କରିବା କିଛି କମ୍‌ କଥା ନୁହେଁ। ଏଭଳି କାର୍ଯ୍ୟ କରୁଛନ୍ତି ଚେନ୍ନାଇର ଏସ୍ଥର ଶାନ୍ତି। ଚେନ୍ନାଇର ସବୁଠୁ ବଡ଼ ଶ୍ମଶାନ ଓଟେରିରେ ସେ ୨୦୧୪ରୁ କାମ କରୁଛନ୍ତି। ଶାନ୍ତିଙ୍କୁ ୪୪ ବର୍ଷ। ସେ ପ୍ରଥମେ ଏକ ଏନ୍‌ଜିଓରେ କାମ କରୁଥିଲେ ଓ ତାଙ୍କୁ ଶ୍ମଶାନ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିଲା ୨୦୦୯ରେ। ସେ ଏହାକୁ ସାଦରେ ଗ୍ରହଣ କରିଥିଲେ। ପରେ ସେ ଏନ୍‌ଜିଓ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଶ୍ମଶାନର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସମୟରେ ଓଟେରି ଶ୍ମଶାନର ଦୁରବସ୍ଥା ଦେଖି ତାହାକୁ ସୁଧାରିବା ଲାଗି ଆଗେଇ ଆସିଥିଲେ। ନିଶା ଓ ଚୋରା କାରବାରର ଏକ ସ୍ଥାନ ପାଲଟିଥିବା ଏହିି ଶ୍ମଶାନକୁ ସେ ଯେତେବେଳେ ପରିବର୍ତ୍ତନ କରିବାକୁ ଆଗେଇ ଆସିଲେ, ବହୁ ଧମକ ଚମକ ଦିଆଯାଇଥିଲା ତାଙ୍କୁ। ଜୀବନରୁ ମାରିଦେବାକୁ ଧମକ ବି ଦିଆଯାଇଥିଲା। ଏସବୁକୁ ଖାତିର ନ କରି ଶାନ୍ତି ଏବେ ଓଟେରିକୁ ଏକ ସୁନ୍ଦର ଶ୍ମଶାନ ଭାବେ ଗଢ଼ିଛନ୍ତି। ଏହିି କାର୍ଯ୍ୟ ପାଇଁ ସେ ମାସକୁ ୧୫,୦୦୦ ଟଙ୍କା ଦରମା ପାଇ ପରିବାର ପ୍ରତିପୋଷଣ କରୁଛନ୍ତି।