ଏଇ ଭାରତରେ

ପାରମ୍ପରିକ ଧାନ ବିଲୁପ୍ତ ହୋଇଯାଉଥିବା ବେଳେ ଉଚ୍ଚ ବେତନର ଚାକିରି ଛାଡ଼ି ଏହି ଚାଷ କରିବାରେ ଲାଗି ପଡ଼ିଛନ୍ତି କେରଳର ଏକ ଦମ୍ପତି। ମହମ୍ମଦ ରାଇନା ଏବଂ ତାଙ୍କ ସ୍ତ୍ରୀ ପ୍ରତିଭା ଏବେ ବିଭିନ୍ନ ପାରମ୍ପରିକ ଧାନ ଚାଷ କରି ବର୍ଷକୁ ୧୫ଟନ୍‌ ଧାନ ଅମଳ କରୁଛନ୍ତି। ରାଇନା ଜଣେ ମେକାନିକାଲ ଇଞ୍ଜିନିୟର ଓ ପ୍ରତିଭା ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଏଚ୍‌ଆର୍‌ ଭାବେ କାର୍ଯ୍ୟ କରୁଥିଲେ। ସେଠାରୁ ସେମାନେ ଚାକିରି ଛାଡ଼ି ସଲିମ ଅଲି ଫାଉଣ୍ଡେଶନରେ କିଛିଦିନ କାମ କରିଥିଲେ। ସେଠାରେ ପ୍ରତିଭା ସ୍ବଳ୍ପ ଦରମାରେ କାମ କରୁଥିବାବେଳେ ରାଇନା ବିନା ପାରିଶ୍ରମିକରେ କାମ କରୁଥିଲେ। ପରେ ତାହାକୁ ଛାଡ଼ି ସେମାନେ ତ୍ରିସୁରର ଭେଲାଙ୍ଗାଲୁରରେ ୧୫ ଏକର ଜମି ଲିଜ୍‌ ନେଇ ଜୈବିକ ପଦ୍ଧତିରେ ପାରମ୍ପରିକ ଧାନଚାଷ ଆରମ୍ଭ କରିଥିଲେ। ଏବେ ୨୦ ଏକରରେ ଏହି ଚାଷ କରୁଛନ୍ତି। ଏହି ବିହନକୁ ସେମାନେ ଚାଷୀମାନଙ୍କୁ ଦେଇ ସେମାନଙ୍କୁ ପୁରୁଣା ଧାନଚାଷ କରିବା ଲାଗି ପ୍ରୋତ୍ସାହିତ କରୁଛନ୍ତି। କେବଳ ଏତିକି ନୁହେଁ, ସେମାନେ ଧାନରୁ ଚାଉଳ ଓ ଚାଉଳଗୁଣ୍ଡ କରି ବିକ୍ରି କରୁଛନ୍ତି। ଏହି କାର୍ଯ୍ୟରେ ସେମାନେ ଅନେକ ଶହ ଲୋକଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।