ଏଇ ଭାରତରେ

ପଞ୍ଜାବର ଚାଷୀ ଜଗମୋହନ ସିଂ ନେଗୀଙ୍କ କାର୍ଯ୍ୟଶୈଳୀ ଭାରତୀୟ କୃଷକଙ୍କ ପାଇଁ ପ୍ରେରଣାଦାୟକ। ସେ ନିଜସ୍ବ ଚେଷ୍ଟାରେ ଚାଷ କରିବା ସହ ଏକ ସଫଳ ଫୁଡ୍‌ ବିଜ୍‌ନେସ୍‌ ଆରମ୍ଭ କରି ବହୁକୋଟି ଟଙ୍କା ରୋଜଗାର କରିପାରୁଛନ୍ତି। ସେ ନିଜ ଉତ୍ପାଦକୁ ପେପ୍ସି କୋ, କେଲୋଗସ୍‌, ଡିମୋନସ୍‌ ପିଜା ସହ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦୁବାଇ ଓ ହଂକଂକୁ ରପ୍ତାନି କରୁଛନ୍ତି। ଭାରତ ବିଭାଜନ ପରେ କରାଚୀରୁ ଆସି ତାଙ୍କ ପରିବାର ପଞ୍ଜାବର ବାଟାଲାରେ ରହିଥିଲେ। ଜଗମୋହନ ୩୦୦ ଏକରରେ ଚୁକ୍ତିଭିତ୍ତିକ କୃଷି କରୁଛନ୍ତି। ୧୯୯୧ରୁ ସେ ଏହି ଚାଷ କରିଆସୁଛନ୍ତି। ସେଥିରେ ସେ ମକା, ସୋରିଷ, ଗହମ ଏବଂ ଗାଜର, ବିଟ୍‌, ସୂର୍ଯ୍ୟମୁଖୀ, ଟମାଟୋ ଆଦି ଚାଷ କରୁଛନ୍ତି। ସେ ତାଙ୍କ ନେଟ୍‌ଓ୍ବର୍କରେ ପଞ୍ଜାବ ଓ ହିମାଚଳରେ ୩୦୦ କୃଷକଙ୍କୁ ଯୋଡ଼ିପାରିଛନ୍ତି। ଜଗମୋହନ ଇଂଲଣ୍ଡର ବ୍ରର୍ମିଂହାମ ୟୁନିଭର୍ସିଟିରୁ ଫୁଡ୍‌ ସେରିଆଲ ମିଲିଂ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ସେଠାରୁ ଫେରି ‘କୁଲଓ୍ବନ୍ତ ନ୍ୟୁଟ୍ରିସନ’ ଏଗ୍ରି ବିଜ୍‌ନେସ୍‌ ଆରମ୍ଭ କରିଥିଲେ। ଏବେ ତାଙ୍କ କାର୍ଯ୍ୟରେ ସେ ୭୦ ଜଣଙ୍କୁ ନିଯୁକ୍ତ କରିଛନ୍ତି ଏବଂ କୃଷି ଛାତ୍ର ଓ କୃଷକମାନଙ୍କୁ ଅତ୍ୟାଧୁନିକ କୃଷି ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ସେମାନଙ୍କୁ ଆଞ୍ଚଳିକ ସ୍ତରୀୟ କୃଷିଭିତ୍ତିକ ବିଜ୍‌ନେସ୍‌ ଆରମ୍ଭ କରିବାକୁ ମଧ୍ୟ ପ୍ରେରିତ କରୁଛନ୍ତି।