ଏଇ ଭାରତରେ

ଜଳ ସଙ୍କଟର ଭୟାବହତା ଭଲଭାବେ ହୃଦୟଙ୍ଗମ କରିଛନ୍ତି ୮୭ ବର୍ଷୀୟ ଆବିଦ୍‌ ଶ୍ରୁତି। ସେ ଜଳ ସଂରକ୍ଷଣର ନୂଆ ବାଟ ଆପଣାଇ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ‘ଡ୍ରପ୍‌ ଡେଡ୍‌ ଫାଉଣ୍ଡେଶନ’ଗଠନ କରି ତା’ ମାଧ୍ୟମରେ ଟ୍ୟାପ୍‌ ଲିକେଜ୍‌ ସମସ୍ୟାକୁ ମାଗଣାରେ ମରାମତି କରୁଛନ୍ତି। ଏବେ ସୁଦ୍ଧା ୨୦ ମିଲିୟନ ଲିଟର ପାଣି ବଞ୍ଚାଇବାକୁ ସେ ସକ୍ଷମ ହୋଇଛନ୍ତି। ୨୦୦୭ରେ ପ୍ରକାଶିତ ଏକ ଖବରକାଗଜ ରିପୋର୍ଟ ପଢ଼ି ଏଭଳି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ଲିକିଂ ଟ୍ୟାପ୍‌ରୁ ପ୍ରତି ସେକେଣ୍ଡରେ ପଡ଼ୁଥିବା ପାଣି ଟୋପାର ପରିମାଣ ୧ମାସରେ ୧୦୦୦ ଲିଟରରୁ ଅଧିକ ହୋଇଥାଏ। ଏଣୁ ଲିକେଜ୍‌ ଯୋଗୁ ଅଧିକ ପରିମାଣ ପାଣି ନଷ୍ଟ ହେବା ଓ ମୁମ୍ବାଇରେ ଲୋକମାନେ ଭୋର ୪ଟାରୁ ଉଠି ପାଣି ପାଇଁ ଧାଡ଼ି ଲଗାଉଥିବା ସ୍ଥିତି ତାଙ୍କୁ ଓ୍ବାଟର ଲିକେଜ୍‌ ବନ୍ଦ କରିବାକୁ ପ୍ରେରିତ କରିଥିଲା। ବୟସର ଅପରାହ୍ନରେ ସେ ଥକି ନ ପଡ଼ି ପ୍ରତି ରବିବାର ମୁମ୍ବାଇର ମୀରା ରୋଡ୍‌ରେ ଯେକୌଣସି ଏକ ବିଲ୍ଡିଂକୁ ଯାଇ ଲିକେଜ୍‌ ସମ୍ପର୍କିତ ତଥ୍ୟ ସଂଗ୍ରହ କରନ୍ତି ଓ ସୋମବାରରେ ତାହାକୁ ମରାମତି କରୁଛନ୍ତି। ତା’ପର ରବିବାରରେ ସେ ପୁଣି ସେଠାରେ ପହଞ୍ଚି ମରାମତିକୁ ଯାଞ୍ଚ କରିବା ସହ ଅନ୍ୟ ଗୃହର ଲିକେଜ୍‌ ମରାମତି ପାଇଁ ନୂଆ ତାଲିକା ପ୍ରସ୍ତୁତ କରନ୍ତି।