ଏଇ ଭାରତରେ

ଶିକ୍ଷା କହିଲେ ଦଶମ ପାସ୍‌, କିନ୍ତୁ ନୂତନତ୍ୱର ନିଶା ଏକ ନୂଆ ପରିଚୟ ଦେଇଛି ଗୋଆର ବିପିନ କଦମଙ୍କୁ। ବିପିନଙ୍କ ବୟସ ଏବେ ୪୪। ସେ ଗୋଆର ଏକ ମାନୁଫାକଚରିଂ କମ୍ପାନୀରେ କାମ କରନ୍ତି। ସେ ତାଙ୍କ ଦିବ୍ୟାଙ୍ଗ କନ୍ୟାଙ୍କ ପାଇଁ ଏକ ରୋବୋ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ‘ମା’ ରୋବୋ’। ଏହାକୁ ନିର୍ମାଣ କରିବା ଲାଗି ତାଙ୍କୁ ୩ ବର୍ଷ ଲାଗିଯାଇଛି। ଏଥିରେ ସେ ମୋଟ୍‌ ୧୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ରୋବୋକୁ ସଙ୍କେତ ପ୍ରଦାନ କଲେ ତାହା ତାଙ୍କ ଦିବ୍ୟାଙ୍ଗ କନ୍ୟାକୁ ଖୁଆଇ ଦେଉଛି। ସେ ଇଣ୍ଟରନେଟ୍‌ରୁ ଜ୍ଞାନକୌଶଳ ହାସଲ କରି ଉକ୍ତ ରୋବୋ ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ କରିଥିଲେ ଓ ତାହା ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ତିନି ବର୍ଷ ଲାଗିଯାଇଛି। ସେ କମ୍ପାନୀରେ ୧୨ ଘଣ୍ଟା ଡ୍ୟୁଟି କରିବା ପରେ ଘରେ ଆସି ଏହାକୁ ନିର୍ମାଣ କରନ୍ତି। ତେବେ ଏହି ସଫଳତା ପରେ ବିପିନ ଆଗକୁ ଦିବ୍ୟାଙ୍ଗମାନଙ୍କ ଲାଗି ଏ ପ୍ରକାରର ରୋବୋ ନିର୍ମାଣ କରିବାକୁ ଯୋଜନା କରିଛନ୍ତି।