ଏଇ ଭାରତରେ

ରାଜସ୍ଥାନରେ ଅନେକ ପୁରୁଣା ପରମ୍ପରା ଏବଂ ରୀତିନୀତି ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସମୟକ୍ରମେ ବହୁ ପରମ୍ପରାର ବିଧି ମଧ୍ୟ ବଦଳି ଯାଇଛି। ହେଲେ ପରସ୍ପରକୁ ବାଣ ଫିଙ୍ଗିବା ପରମ୍ପରା ବଜାୟ ରହିଛି। ଅଜମେରର କେକେଡ଼ି ସହରରେ ଖେଳାଯାଉଥିବା ଏପରି ଏକ ପରମ୍ପରା ରହିଛି, ଯାହା ଲୋକଙ୍କ ପାଇଁ ବିପଦପୂର୍ଣ୍ଣ । ଏଠାରେ ଦୀପାବଳି ପରଦିନ ଲୋକେ ଗୋବର୍ଦ୍ଧନ ପୂଜାରେ ପରସ୍ପର ଉପରକୁ ବାଣ ଫିଙ୍ଗନ୍ତି। ଏଥିରେ ବହୁ ଲୋକ ଆହତ ହୋଇଥା’ନ୍ତି। ଏଭଳି ବିପଜ୍ଜନକ ଖେଳ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସତ୍ତ୍ୱେ ଲୋକେ ଏହାକୁ ଅଣଦେଖା କରି ଏହି ପରମ୍ପରା ପାଳନ କରିଆସୁଛନ୍ତି। କେକେଡି ସହରରେ ପ୍ରଭୁ ଭୈରବଙ୍କର ଏକ ପ୍ରାଚୀନ ମନ୍ଦିର ଅଛି। ଗୋବର୍ଦ୍ଧନ ପୂଜାରେ ଦୀପାବଳିର ଗୋଟିଏ ଦିନ ପରେ ଏଠାରେ ୧୦୦ ବର୍ଷରୁ ଅଧିକ ପୁରୁଣା ଉକ୍ତ ପରମ୍ପରାର ବିଧି ମୁତାବକ ଘାସରେ ଭୈରବଙ୍କର ଏକ ପ୍ରତିମା ତିଆରି କରାଯାଇଥାଏ। ଏହି ପ୍ରତିମାକୁ ବଳଦ ଉପରେ ରଖି ସହର ପରିକ୍ରମା କରାଯାଏ। ବଳଦଙ୍କୁ ଚଲାଇବା ପାଇଁ ବାଣରେ ନିଆଁ ଲଗାଇ ସେମାନଙ୍କ ଗୋଡ଼ ପାଖକୁ ଫିଙ୍ଗା ଯାଇଥାଏ। ଫଳରେ ବଳଦମାନେ ଭୟଭୀତ ହୋଇ ଦୌଡ଼ିବା ଆରମ୍ଭ କରନ୍ତି। ପରେ ଲୋକମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଆନ୍ତି ଓ ପରସ୍ପର ଉପରକୁ ବାଣ ପକାନ୍ତି।