ଏଇ ଭାରତରେ

ପ୍ରେରଣାଦାୟୀ କାର୍ଯ୍ୟ ଜଣଙ୍କୁ ପ୍ରତିଷ୍ଠିତ କରିଥାଏ, ଯାହା ଘଟିଛି ଦୀପମାଲା ପାଣ୍ଡେଙ୍କ ଜୀବନରେ।
ଉତ୍ତରପ୍ରଦେଶ ବରେଲିର ଦାଭୁରା ପ୍ରାଥମିକ ସ୍କୁଲର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ସ୍କୁଲରେ ଦିବ୍ୟାଙ୍ଗ ଶିଶୁଙ୍କ ନାମ ଲେଖାଇବାରେ ସେ ପ୍ରମୁଖ ଭୂମିକା ନେଇଛନ୍ତି। ଦୀପମାଲା ୮୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ସ୍କୁଲକୁ ଆଣିବାରେ ସକ୍ଷମ ହୋଇଛନ୍ତି। ଏଭଳି କାର୍ଯ୍ୟରେ ତାଙ୍କୁ ୪୦୦ ଶିକ୍ଷକ ସହଯୋଗ କରିଛନ୍ତି। ଦୀପମାଲା ୨୦୦୯ରେ ପଢ଼ାଇବା ଆରମ୍ଭ କରିବା ପରେ ୨୦୧୫ରେ ଦାଭୁରା ପ୍ରାଥମିକ ସ୍କୁଲକୁ ବଦଳି ହୋଇଥିଲେ। ସେଠାରେ ରହିବା ପରେ ସେ ବରେଲିର ବିଭିନ୍ନ ଅଞ୍ଚଳରେ ଥିବା ଦିବ୍ୟାଙ୍ଗ ପିଲାମାନେ କିଭଳି ସ୍କୁଲକୁ ଆସିବେ ସେଥିପାଇଁ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରିଥିଲେ। ଏଥିରେ ବରେଲିର ଶିକ୍ଷକମାନଙ୍କୁ ଆଡ୍‌ କରିଥିଲେ। ପରେ ‘ଓ୍ବାନ୍‌ ଟିଚର ଓ୍ବାନ୍‌ କଲ୍‌’ ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ଜଣେ ଶିକ୍ଷକ ଆଉ ଜଣେ ଶିକ୍ଷକଙ୍କୁ କଲ୍‌ କରି ଦିବ୍ୟାଙ୍ଗ ପିଲାଙ୍କୁ ସ୍କୁଲ ଆଣିବାର ଗୁରୁତ୍ୱ ସମ୍ପର୍କରେ ଅବଗତ କରିବା ଆରମ୍ଭ କରିଦେଲେ। ଏବେ ଏଥିରେ ୪୦୦ ଶିକ୍ଷକ ଯୋଡ଼ି ହୋଇ ଦୀପମାଲାଙ୍କୁ ସହଯୋଗ କରୁଛନ୍ତି। ଏପରି କି ଲକ୍‌ଡାଉନ ସମୟରେ ଏହି ପଦ୍ଧତି ବେଶ୍‌ ଉପଯୋଗୀ ହେଲା ଦିବ୍ୟାଙ୍ଗ ପିଲାମାନଙ୍କୁ ଠାବ କରିବାରେ।