ଏଇ ଭାରତରେ

ବିହାର ବକ୍ସରର ହରି ଓମ୍‌ ଚୌବେ ସାପକାମୁଡ଼ାକୁ ନେଇ ରହିଥିବା ଅନ୍ଧବିଶ୍ୱାସ ଦୂର କରିବାରେ ଲାଗିଛନ୍ତି। ଈଶ୍ୱର ସନ୍ତୁଷ୍ଟ ନ ହେଲେ ସାପ କାମୁଡନ୍ତି ବୋଲି ଉକ୍ତ ଅଞ୍ଚଳରେ ଅନ୍ଧବିଶ୍ୱାସ ରହିଛି। ଏଣୁ କାହାକୁ ସାପ କାମୁଡ଼ିଲେ ସେମାନେ ପ୍ରାଥମିକ ଚିକିତ୍ସାରୁ ବିରତ ରହିବା ଦ୍ୱାରା ବହୁ ଲୋକଙ୍କ ମୃତ୍ୟୁ ଘଟିଥାଏ। ଏଭଳି ଅନ୍ଧବିଶ୍ୱାସ ଦୂର କରିବା ଏବଂ ସାପକାମୁଡ଼ାଜନିତ ମୃତ୍ୟୁ ରୋକିବା ଲାଗି ଚୌବେ ସାପ ଉଦ୍ଧାର କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି। ଏଯାବତ୍‌ ସେ ୩୦୦୦ ସାପ ଉଦ୍ଧାର କରିସାରିଲେଣି। ତାଙ୍କ ଦାଦାଙ୍କଠାରୁ ପାଇଥିବା ‘ସ୍ନେକ୍ସ ଅଫ୍‌ ଇଣ୍ଡିଆ’ ପୁସ୍ତକ ପଢ଼ି ସେ ବିଷଧର ସାପ ଉଦ୍ଧାର ପଦ୍ଧତି ଶିକ୍ଷା କରିଥିଲେ। ଏହି ଜ୍ଞାନ ଏବେ ତାଙ୍କୁ ସହଯୋଗ କରୁଛି। କେବଳ ଏତିକି ନୁହେଁ, ସେ ଚୁରାମନପୁରରେ ଏକ ପ୍ରାଣୀ ଉଦ୍ଧାର କେନ୍ଦ୍ର ଖୋଲିଛନ୍ତି। ୧୫୨ ପ୍ରାଣୀଙ୍କୁ ଉଦ୍ଧାର କରି ସେଠାରେ ରଖିଛନ୍ତି। ପ୍ରତିଦିନ କୁକୁର, ମାଙ୍କଡ଼, ବିଲେଇ, ସାପ ଆଦି ଉଦ୍ଧାର କରିବା ଲାଗି ପାଖାପାଖି ୨୫ କଲ୍‌ ପାଉଛନ୍ତି। ସାପ ଉଦ୍ଧାର କରି ଯାହା ରୋଜଗାର କରୁଛନ୍ତି ତାହାକୁ ଏହି କେନ୍ଦ୍ରରେ ଖର୍ଚ୍ଚ କରୁଛନ୍ତି।