ଏଇ ଭାରତରେ

ପରିବେଶ ପ୍ରଦୂଷଣ ତଥା ବିଶ୍ୱତାପନ ରୋକିବା ଲାଗି ଇଲେକ୍‌ଟ୍ରୋନିକ ଭେହିକିଲ (ଇଭି) ବା ବୈଦ୍ୟୁତିକ ଯାନ ଏବେ ଅପରିହାର୍ଯ୍ୟ। ବିଭିନ୍ନ ମୋଟର କମ୍ପାନୀ ମଧ୍ୟ ଇଭି ନିର୍ମାଣରେ ଲାଗିଯାଇଛନ୍ତି। କିନ୍ତୁ ପୁରୁଣା ପେଟ୍ରୋଲ ଚାଳିତ ଦୁଇ ଚକିଆ ଯାନକୁ ମାତ୍ର ଦୁଇ ଦିନରେ ଇଭିରେ ପରିଣତ କରି ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ହାଇଦ୍ରାବାଦର ଇଞ୍ଜିନିୟର ମାଜ୍‌ ଅହମ୍ମଦ ଖାନ୍‌। ସେ ୨୦୨୧ରେ ଟର୍‌କ୍ୟୁ ଇଲେକ୍‌ଟ୍ରିକ ଷ୍ଟାର୍ଟଅପ ପ୍ରତିଷ୍ଠା କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଅହମ୍ମଦଙ୍କ ବୟସ ଏବେ ୨୩। ତେଲଙ୍ଗାନାର ମେଥୋଡିଷ୍ଟ କଲେଜ ଅପ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍‌ନୋଲୋଜିର ଏବେ ସେ ଶେଷ ବର୍ଷ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର। ଅହମ୍ମଦଙ୍କ ଏଭଳି କାର୍ଯ୍ୟ ଦ୍ୱାରା ସ୍କ୍ରାପ ଦେବାକୁ ଯାଉଥିବା ଦୁଇଚକିଆ ଯାନ ଇଭି ହୋଇପାରୁଛି। ସେ ପ୍ରଥମେ ଏକ ପୁରୁଣା ପେଟ୍ରୋଲ ଚାଳିତ ସ୍କୁଟରକୁ ଇଭି କରିଥିଲେ। ପରେ ସେ ୭ଟି ବାଇକ୍‌କୁ ଇଭି କରିସାରିଲେଣି ଓ ତାଙ୍କ ପାଖରେ ଆଉ ୧୫ରୁ ଅଧିକ ଅର୍ଡର ରହିଛି। ୫ରୁ ୭ ଘଣ୍ଟାରେ ଏହା ହୋଇପାରୁଥିବାବେଳେ ଏହାର ପରୀକ୍ଷା ଓ ସୁରକ୍ଷା ଲାଗି ଦୁଇଦିନ ଟେଷ୍ଟ କରାଯାଉଛି। ଏହାର ଦାମ୍‌ ରଖିଛନ୍ତି ପାଖାପାଖି ୫୦ ହଜାର ଟଙ୍କା। ଏହା ୩ରୁ ୪ ଘଣ୍ଟାରେ ଚାର୍ଜ ହେଉଛି ଓ ଘଣ୍ଟାପ୍ରତି ୪୫ କି.ମି. ବେଗରେ ଏହା ୭୫ କି.ମି ଯାଉଛି।