ଏଇ ଭାରତରେ

ସରକାର ଚାଷୀମାନଙ୍କୁ ନୂଆ ପଦ୍ଧତିରେ ଚାଷ କରିବା ଲାଗି ବୁଝାଇବାରେ ସକ୍ଷମ ହୋଇପାରୁ ନ ଥିବାବେଳେ ମହାରାଷ୍ଟ୍ରର ଜଣେ ଚାଷୀ ତାହା କରିପାରିଛନ୍ତି। ମହାରାଷ୍ଟ୍ର ବିଡ୍‌ ଜିଲା ପରାଲି ବ୍ଲକ୍‌ର ଚାଷୀ ସନ୍ଦୀପ ଗିଟେ ଜୈବିକ ପଦ୍ଧତିରେ ଚାଷ କରିବା ସହ ଗାଁ ଓ ଆଖପାଖର ଚାଷୀମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିପାରିଛନ୍ତି। ମରୁଡ଼ି ପ୍ରପୀଡ଼ିତ ମରାଠାଓ୍ବାଡା ଅଞ୍ଚଳର ଏହି ଚାଷୀମାନେ ଏବେ ଗ୍ରୁପ୍‌ ଗଠନ କରି ଜୈବିକ ପଦ୍ଧତିରେ ପ୍ରଚୁର ଲାଭ ପାଉଛନ୍ତିି। ସନ୍ଦୀପ ପ୍ରଥମେ ୧,୦୦୦ଟି ଅମୃତଭଣ୍ଡା ଗଛ ଲଗାଇ ୭ ମାସରେ ସେଥିରୁ ୩ ଲକ୍ଷ ରୋଜଗାର କରିବା ପରେ ୨ ଏକର ଚାଷ କରି ୨୦ ଟନ୍‌ ଅମୃତଭଣ୍ଡାରୁ ୧୧ ଲକ୍ଷ ଟଙ୍କା ପାଇଥିଲେ। ଏହାପରେ ଅନ୍ୟ ଚାଷୀମାନେ କିଭଳି ଲାଭ ପାଇବେ ସେଥିପାଇଁ ସନ୍ଦୀପ ପ୍ରଥମେ ୮ଜଣ ଚାଷୀଙ୍କୁ ନେଇ ଏକ ଗ୍ରୁପ୍‌ କରି ଚାଷ ଆରମ୍ଭ କରିଥିଲେ । ଏଥିରେ ଭଲ ଲାଭ ହେବା ପରେ ସେ ଗ୍ରୁପ୍‌ରେ ଚାଷୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ଏବେ ତାଙ୍କ ଗ୍ରୁପରେ ୫୦ ଜଣ ଚାଷୀ ସାମିଲ ହୋଇଛନ୍ତି ଓ ସେମାନେ ୧୫୦ ଏକରରେ ଚାଷ କରୁଛନ୍ତି। ଏଥିରୁ ୪୦ ଏକରରେ ଅମୃତଭଣ୍ଡା ଏବଂ ଆଉ ସବୁ ଜମିରେ ତରଭୁଜ, ଆତ,ପିଜୁଳି, ଲେମ୍ବୂ ଆମ୍ବ ଚାଷ କରୁଛନ୍ତି। ଲାଭ ସେମାନଙ୍କ ମଧ୍ୟରେ ବାଣ୍ଟି ନେଉଛନ୍ତି।