ଏଇ ଭାରତରେ

ବୟସ ୨୧। କିନ୍ତୁ ୭ ରାଜ୍ୟରେ ଗରିବ ଓ ଅସହାୟମାନଙ୍କ ପାଇଁ କାମ କରି ସେମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଉତ୍ତରପ୍ରଦେଶର ଇଶାନ ଚଓ୍ବାଲା। ଫିଟି ଫାଉଣ୍ଡେଶନ ନାମକ ଏକ ସଂସ୍ଥା ଗଠନ କରି ସେ ଏହି କାର୍ଯ୍ୟ ତ୍ୱରାନ୍ବିତ କରୁଛନ୍ତି। ଇଶାନଙ୍କ ସହ ସହପ୍ରତିଷ୍ଠାତା ଭାବେ ରହିଛନ୍ତି ତାଙ୍କ ସାଥୀ ଅନ୍‌ମୋଲ ଡିଗରା। ମିରଟରେ ରହି ସେମାନେ ସବୁ ରାଜ୍ୟରେ ଏହି ସେବା ଜାରି ରଖିଛନ୍ତି। ୨୦୧୯ରେ ଫିଟି ଫାଉଣ୍ଡେଶନ ଗଠନ କରାଯାଇଥିଲା। ସେବେଠାରୁ ଏହି ସଂସ୍ଥା ୭ ରାଜ୍ୟକୁ ସମ୍ପ୍ରସାରିତ ହୋଇଛି ଓ ଏଥିରେ ୭୦୦ ସ୍ବେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି। ଗରିବମାନଙ୍କୁ ଖାଦ୍ୟ ବାଣ୍ଟିବା ସହ ବସ୍ତିପିଲାଙ୍କୁ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି ଇଶାନ। ଏଥିରେ ପୋଷାକ ମଧ୍ୟ ବଣ୍ଟନ କରାଯାଉଛି। ସେବା କାର୍ଯ୍ୟ ଆରମ୍ଭ ଦିନ ଇଶାନ ଓ ତାଙ୍କ ସାଥୀମାନେ ‘ସ୍ବିଗି’ର ବଳକା ଖାଦ୍ୟକୁ ନେଇ ୪୦ ଟଙ୍କା ଖର୍ଚ୍ଚକରି ୪୦ ଗରିବଙ୍କ ପେଟ ଭରିଥିଲେ। ସେବେଠାରୁ ସେ ଆଉ ପଛକୁ ଫରିନାହାନ୍ତି। କରୋନା ସମୟରେ ସବୁ ରେସ୍ତୋରାଁ ବନ୍ଦ ଥିବାବେଳେ ତାଙ୍କ ଟିମ୍‌ ଘରେ ରୋଷେଇ କରି ଗରିବଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଥିଲେ। ଇଶାନ ବିଭିନ୍ନ ମାଧ୍ୟମରୁ ପାଣ୍ଠି ଯୋଗାଡ଼ କରି ଏଥିରେ ଖର୍ଚ୍ଚ କରୁଛନ୍ତି।