ଏଇ ଭାରତରେ

ଉତ୍ତର ପ୍ରଦେଶ ମୁଜାଫରନଗରର ସାମାଜିକ କର୍ମୀ ଶାଲୁ ସୋନି ୧୫ ବର୍ଷ ହେଲା ନିଜ ଜୀବନର ସମସ୍ୟାକୁ ଭୁଲି ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। କରୋନା ସମୟରେ ଅଚିହ୍ନା ମୃତଦେହ ଦାହ କରିବା ଆରମ୍ଭ କରିଥିଲେ। ଏବେ ସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ ମୃତଦେହ ଦାହ କରିସାରିଲେଣି। କେବଳ ଏତିକି ନୁହେଁ, ମହିଳାମାନଙ୍କୁ ଆତ୍ମନିର୍ଭର ଓ ଆତ୍ମରକ୍ଷା ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରିଛନ୍ତି। ଏହି କାର୍ଯ୍ୟ ସେ ସାକ୍ଷୀ ଓ୍ବେଲ୍‌ଫେୟାର ଟ୍ରଷ୍ଟ ଦ୍ୱାରା କରୁଛନ୍ତି। ମହିଳାମାନଙ୍କୁ ସେ ଭୋକେଶନାଲ ଟ୍ରେନିଂ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରିବାରେ ମୁଖ୍ୟ ଭୂମିକା ମଧ୍ୟ ନିଭାଉଛନ୍ତି। ଶାଲୁଙ୍କ ସହ ତାଙ୍କ ଦୁଇ ସନ୍ତାନ ରହୁଛନ୍ତି। ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହି ପିଲାଙ୍କ ଯତ୍ନ ସହ ଏସବୁ କାର୍ଯ୍ୟ କରି ନିଜ ପାଇଁ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଏବେ ଶାଲୁଙ୍କ ସହ ବହୁ କର୍ମୀ ସାମିଲ ହୋଇଛନ୍ତି। ସବୁଠୁ ବଡ଼ କଥା ହେଉଛି ଶବ ସଂସ୍କାର ପରେ ଅଚିହ୍ନା ବ୍ୟକ୍ତିଙ୍କ ଅସ୍ଥି ନେବା ଲାଗି କେହି ନ ଥିବାରୁ ସେ ନିଜେ ତାହା ସଂଗ୍ରହ କରି ପରିବାରର ସଦସ୍ୟ ଭଳି ଯଥାରୀତି ତାହାକୁ ବିସର୍ଜନ କରୁଛନ୍ତି। ଏଭଳି କାର୍ଯ୍ୟ କରି ବାସ୍ତବ ମାନବିକତାର ପ୍ରକୃଷ୍ଟ ଉଦାହରଣ ସାଜିଛନ୍ତି ୩୭ ବର୍ଷୀୟା ଶାଲୁ।